କଳାହାଣ୍ଡି: ଜିଲ୍ଲା କୋକସରା ବ୍ଲକ ମୋଟେର ଉଚ୍ଚ ବିଦ୍ୟାଳୟର ଜଣେ ଛାତ୍ରଙ୍କୁ ସେହି ସ୍କୁଲର ଶିକ୍ଷକ ଚପଲରେ ପିଟିବା ଘଟଣା ଘନେଇବାରେ ଲାଗିଛି । ଶିକ୍ଷକଙ୍କ ଏଭଳି କାର୍ଯ୍ୟର ବିରୋଧରେ ମେଳି ବାନ୍ଧି ଆଜି ଜାତୀୟ ରାଜପଥ ୨୬କୁ ମୋଟେର ଛକ ସ୍କୁଲ ନିକଟରେ ଅବରୋଧ କରିଥିଲେ ଛାତ୍ରଛାତ୍ରୀ ଓ ଅଭିଭାବକ।
ଅଭିଯୋଗ ଅନୁସାରେ ଗତ ମଙ୍ଗଳବାର ଦିନ ସ୍କୁଲରେ ଖେଳୁଥିବା ସମୟରେ ଛାତ୍ରର ଚପଲ ଅଜାଣତରେ ଶିକ୍ଷକଙ୍କୁ ବାଜିଥିଲା । ପରେ ଶିକ୍ଷକ ଉତ୍ତ୍ୟକ୍ତ ହୋଇ ଛାତ୍ରକୁ ଚପଲରେ ମାଡ ମାରିଥିବା ଅଭିଯୋଗ ହୋଇଥିଲା ।
ଏହାପରେ ସ୍କୁଲରେ ଅଭିଭାବକ ଓ ଛାତ୍ରଛାତ୍ରୀ ମାନେ ମିଶି ରାସ୍ତା ଅବରୋଧ କରିବା ସହ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ତେବେ ଦଣ୍ଡମୁକ୍ତ ତଥା ସୁରକ୍ଷିତ ବିଦ୍ୟାଳୟରେ ଜଣେ ଛାତ୍ରକୁ ଶିକ୍ଷକଙ୍କ ଏଭଳି ଆଚରଣ ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ