ଭବାନୀପାଟଣା: ସଂସ୍କୃତି, ପରମ୍ପରାର ଗନ୍ତାଘର ଆମ ରାଜ୍ୟ ଓଡିଶା । ୧୨ ମାସରେ ୧୩ ପର୍ବ ସାଙ୍ଗକୁ ଭିନ୍ନ ଭିନ୍ନ ରୀତିନୀତି ବଖାଣେ ରାଜ୍ୟର ଐତିହ୍ୟକୁ । ଏହି ୧୩ ପର୍ବରେ ବି ରହିଛି ଭିନ୍ନତା । ରାଜ୍ୟରେ ଗୋଟିଏ ପର୍ବ ପାଳନରେ ରହିଛି ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୀତିନୀତି । ସେଥିମଧ୍ୟରୁ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଅନ୍ୟତମ । ସମଗ୍ର ପଶ୍ଚିମ ଓଡିଶା ମଧ୍ୟରେ କଳାହାଣ୍ଡି ଜିଲ୍ଲାର ନୂଆଁଖାଇ ପର୍ବରେ ରହିଛି ସ୍ୱତନ୍ତ୍ରତା ।
ପଶ୍ଚିମ ଓଡିଶାରେ ଅନେକ ଅଞ୍ଚଳରେ ଗୋଟିଏ ଦିନରେ ନୂଆଁଖାଇ ପର୍ବ ପାଳନ ହେଉଥିବା ବେଳେ କଳାହାଣ୍ଡିରେ ପର୍ଯାୟକ୍ରମରେ ପାଳନ ହୁଏ । ପର୍ବ ପାଳନରେ ବିଭିନ୍ନତା ଥିଲେ ମଧ୍ୟ ଏହି ପର୍ବ ସମସ୍ତଙ୍କୁ ଏକାଠି ବାନ୍ଧି ରଖେ । ତେବେ ଏହି ଗଣପର୍ବ ନୂଆଁଖାଇ ସପ୍ତପୂରୀ ଅମାବାସ୍ୟା ଠାରୁ ଆରମ୍ଭ ହୋଇ ଦଶହରାର ଦଶମୀରେ ଶେଷ ହୋଇଥାଏ । ଏହା ପଛରେ ଏକ କିମ୍ୱଦନ୍ତି ରହିଛି । ପ୍ରଥମେ ଗାଁରେ ସଭାହୋଇ ନବାନ୍ନ ପାଇଁ ସମୟ ନିର୍ଘଣ୍ଟ ସ୍ଥିର ହୁଏ । ସପ୍ତପୂରୀ ଅମାବାସ୍ୟା ପର ଦିନ ଜିଲ୍ଲାର କେସିଙ୍ଗା ଅଞ୍ଚଳର ପଥର୍ଲା, ବାହାଦୁରପଦର, ପଲସାପଡା ଅଞ୍ଚଳର ପ୍ରାୟ ୫ହଜାର ଲୋକ ନବାନ୍ନ ଭକ୍ଷଣ କରିଥାନ୍ତି ।
ପର୍ବ ପୂର୍ବରୁ ଘର ଲିପାପୋଛା, ବାସନକୁସନ ସଫା, ନୂଆ ବସ୍ତ୍ର ଆଦି ପ୍ରସ୍ତୁତ କରି ରଖାଯାଇଥାଏ । ଏହାସହ ନୂଆ ଚୁଡା, ଗୁଡ, ଧାନ ସଂଗ୍ରହ କରି ସପ୍ତପୂରୀ ଅମାବାସ୍ୟା ପର ଦିନ ନିଜ ଗାଁର ଇଷ୍ଟ ଦେବୀଙ୍କ ନିକଟରେ ପୂଜାପାଠ ପରେ ଭୋଗ ଲାଗାଯାଏ । ଏହା ପରେ ଗାଁରେ ପାଳିତ ହୁଏ ନୂଆଁଖାଇ ପର୍ବ । ତା' ପରେ ଆରମ୍ଭ ହୁଏ ଜୁହାର ଭେଟର ପର୍ବ । ଗାଁ ର ସମସ୍ତ ଛୋଟ ପିଲାମାନେ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରିଥାନ୍ତି । ପିଠାପଣା ନୂଆ ପୋଷାକ ସାଙ୍ଗକୁ ଖେଳକୁଦ, ନାଚଗୀତର ଆସର ମଧ୍ୟ ଜମେ । ଏସବୁ ମଧ୍ୟରେ ଗାଁରେ କମ୍ପି ଉଠେ ଢୋଲ, ନିଶାନ ତାସା ସହ କଳାହାଣ୍ଡିର ବୀରବାଦ୍ୟ ଘୁମୁରାର ଘୁମ୍ ଘୁମ୍ ଶବ୍ଦ । ଦୁଲୁକି ଉଠେ ଗାଁ ମାଟି, ଆଉ ସମସ୍ତେ ହୋଇପଡନ୍ତି ଉତ୍ସବ ମୁଖର ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ