ଭବାନୀପାଟଣା: ପିକଅପ ଭ୍ୟାନରେ ଚାଉଳ ଆଣି ଫେରୁଥିବାବେଳ ସିଙ୍ଗାରି ଘାଟିରେ ଅଘଟଣ । ଗତକାଲି(ମଙ୍ଗଳବାର) ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବୁଧବାର ଏହି ସଂଖ୍ୟା ୪କୁ ବୃଦ୍ଧି ପାଇଛି । ମୃତକମାନେ ହେଲେ ବାର୍ଷିକଣା ଗାଁର ଲାଲୁ ମାଝୀ,ଡଙ୍ଗର ମାଝୀ,ସୋଭାଦେଇ ମାଝୀ ଏବଂ ସାନୁର୍ଯ୍ୟ ମାଝୀ ବୋଲି ଜଣାପଡିଛି । ତେବେ ଅନ୍ୟ ଗୁରୁତରଙ୍କ ଅବସ୍ଥା ସ୍ଥିର ରହିଥିବା ସୂଚନା ରହିଛି ।
ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବାର୍ଶିକୋନା ଗାଁ । ଯେଉଁଠି କି ପିଡ଼ିଏସ ଚାଉଳ ଆଣିବାକୁ ହେଲେ ହିତାଧିକାରୀଙ୍କୁ ଯିବାକୁ ପଡେ ମାଇଲ ମାଇଲ ବାଟ । ପ୍ରତ୍ୟେକ ମାସ ଭଳି କିଛି ଗ୍ରାମବାସୀ ପିକଅପ ଭ୍ୟାନ ଭଡା କରି ସିନ୍ଧିପଦର ପଞ୍ଚାୟତକୁ ପିଡ଼ିଏସ ଚାଉଳ ଆଣିବାକୁ ଯାଇଥିଲେ । ପିଡିଏସ ଚାଉଳ ନେଇ ଥୁଆମୂଳ ରାମପୁର ଦେଇ ଫେରିବା ସମୟରେ ସିଙ୍ଗାରି ଘାଟିରେ ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ପିକଅପ ଭ୍ୟାନଟି ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ୨ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି(ବୁଧବାର) ଏହି ସଂଖ୍ୟା ୪କୁ ବୃଦ୍ଧି ପାଇଛି ।
ବାର୍ଷିକଣା ଗାଁକୁ ଯିବା ପାଇଁ ଭଲ ରାସ୍ତା ଟିଏ ନଥିବାରୁ ୫୫ କିଲୋମିଟର ଦୂର ସିନ୍ଧିପଦର ପଞ୍ଚାୟତ କାର୍ଯ୍ୟାଳୟକୁ ତିନୋଟି ପାହାଡ଼ ଚଢି ଜଙ୍ଗଲ ରାସ୍ତା ଦେଇ ଯିବା ଆସିବା କରିଥାନ୍ତି । ଅନେକ ଥର ଗ୍ରାମବାସୀ ବାର୍ଷିକଣା ଗାଁକୁ ନିକଟରେ ଥିବା କଲମପୁର ବ୍ଲକରେ ଯୋଡିବାକୁ ଦାବି କରି ଗତ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିଥିଲେ ମଧ୍ୟ ଏଥି ପ୍ରତି ଜିଲ୍ଲା ପ୍ରଶାସନ ଅବହେଳା କରିଥିବାରୁ ଆଜି ଏଭଳି ଘଟଣା ଘଟିଥିବା ବାର୍ଷିକଣା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ