ଭବାନୀପାଟଣା: ପ୍ରଧାନଶିକ୍ଷକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଛାତ୍ରୀ । କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଗୋପୀନାଥପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି ହଷ୍ଟେଲ ଛାତ୍ରୀ । ଆଦିବାସୀ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଛାତ୍ରୀ ନିବାସର ପ୍ରାୟ ୬ ଜଣ ଛାତ୍ରୀ ଏଭଳି ଅଭିଯୋଗ ଆଣିଛନ୍ତି ପ୍ରଧାନଶିକ୍ଷକ ଶଶୀଧର ନାଏକଙ୍କ ବିରୋଧରେ ।
ଛାତ୍ରୀନିବାସରେ ରହୁଥିବା ଛାତ୍ରୀମାନଙ୍କୁ ପ୍ରଧାନଶିକ୍ଷକ ଶଶୀଧର ନାଏକ ଅସଦାଚରଣ କରୁଥିବା ଓ ଏ ସମ୍ପର୍କରେ ନିଜ ବାପା ମାଆଙ୍କୁ ଜଣାଇଲେ ସାର୍ଟିଫିକେଟ ଦେଇ ବହିଷ୍କାର କରିଦେବାକୁ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ଛାତ୍ରୀମାନେ । ଭୟରେ ସେମାନେ କାନ୍ଦି କାନ୍ଦି ହଷ୍ଟେଲ ଛାଡ଼ି ଚାଲିଯାଉଥିବା ଦେଖି ଗୋପୀନାଥପୁର ଗ୍ରାମବାସୀ ସେମାନଙ୍କୁ ଅଟକାଇ ଘଟଣା ବିଷୟରେ ଜାଣିବାକୁ ଚାହିଁଥିଲେ । ପରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୋମେଶ୍ଵର ବେହେରା ପହଞ୍ଚି ଛାତ୍ରୀମାନଙ୍କୁ ସୁରକ୍ଷା ସ୍ବରୂପ ଗ୍ରାମର ଓଏଲ୍ଏମ୍ ଗୃହରେ ରଖି ଗଣଶିକ୍ଷା ବିଭାଗର ଟୋଲ୍ ଫ୍ରି ନମ୍ବରରେ ଅଭିଯୋଗ କରିଥିଲେ ।
ଅଭିଯୋଗ ପରେ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ତୁରନ୍ତ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଛାତ୍ରୀମାନଙ୍କ ଅଭିଯୋଗ ଅନୁସାରେ ବିଦ୍ୟାଳୟର ଛାତ୍ରୀ ନିବାସରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀମାନେ ରହୁଥିବା ବେଳେ ହଷ୍ଟେଲକୁ କେବଳ ମହିଳା ୱାର୍ଡେନ୍ ହିଁ ଯାଇପାରିବେ କିନ୍ତୁ ପ୍ରଧାନଶିକ୍ଷକ ବିନା ଅନୁମତିରେ ପ୍ରବେଶ କରି ଛାତ୍ରୀମାନଙ୍କୁ ଅସଦାଚରଣ କରୁଛନ୍ତି । ଏପରିକି ଛାତ୍ରୀମାନେ ଗାଧୋଉଥିବା ଓ ଡ୍ରେସ ବଦଳାଉଥିବା ବେଳେ ପ୍ରଧାନଶିକ୍ଷକ ଲୁଚି ଦେଖିବା ସହ ହଷ୍ଟେଲ ଭିତରେ ପଶି ସେମାନଙ୍କ ଶରୀର ସ୍ପର୍ଶ କରୁଥିବା ନେଇ ଅଭିଯୋଗ ହୋଇଛି ।
ବ୍ଲକ ସମ୍ପ୍ରସାରଣ ଅଧିକାରୀ ଗଙ୍ଗାଧର ବେହେରା ଏବଂ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ବିଜୟ କୁମାର ବେହୁରା ପହଞ୍ଚି ଅଭିଯୋଗକାରୀ ଛାତ୍ରୀଙ୍କ ଠାରୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ଏହି ୬ ଜଣ ଛାତ୍ରୀ ଏସବୁ ଅଭିଯୋଗ ନେଇ ପ୍ରଶାସନକୁ ଅଭିଯୋଗ ଜଣାଇବା ପରେ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖ୍ ତୁରନ୍ତ ଅଭିଯୁକ୍ତ ପ୍ରଧାନଶିକ୍ଷକ ଶଶୀଧର ନାଏକ ଙ୍କଠାରୁ ଦାୟିତ୍ବ ହଟାଇ ଶିକ୍ଷୟିତ୍ରୀ ଆଲ୍ଲାଦିନୀ ମଣି ବାଗଙ୍କୁ ଦିଆଯାଇଥିବା ସୂଚନା ମିଳିଛି ।
ଅନ୍ୟପକ୍ଷରେ ଥୁଆମୂଳ ରାମପୁର ପୋଲିସ ହଷ୍ଟେଲରେ ପହଞ୍ଚି ତଦନ୍ତ କରିଛନ୍ତି । ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ଜିଲ୍ଲା ଚାଇଲ୍ଡ ହେଲ୍ପଲାଇନ୍ ବିଭାଗ ପହଞ୍ଚି ଛାତ୍ରୀମାନଙ୍କ ଅଭିଯୋଗ ଶୁଣିଥିଲେ । ଅଭିଯୁକ୍ତ ପ୍ରଧାନଶିକ୍ଷକ ଶଶୀଧର ନାଏକକୁ ଥାନାରେ ଅଟକ ରଖାଯାଇଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ