ଭବାନୀପାଟଣା: ଯୋଜନା ପାଲଟିଛି ପ୍ରହସନ । ସହରାଞ୍ଚଳରୁ ଆରମ୍ଭ କରି ଗ୍ରାମାଞ୍ଚଳ ରାସ୍ତାର ଉନ୍ନତି ପାଇଁ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । କିନ୍ତୁ ଆଜିକୁ ବର୍ଷେ ହୋଇଗଲା, ହେଲେ ସରୁନି ରାସ୍ତା କାମ । ଶୋଚନୀୟ ହୋଇ ପଡ଼ିଲାଣି ରାସ୍ତାର ସ୍ଥିତି । କେଉଁଠି ରାସ୍ତା ପାଇଁ ଦୁର୍ଘଟଣା ହେଉଛି ତ କେଉଁଠି ଧୂଳିଗୁଣ୍ଡ ପାଇଁ ଯାତାୟାତ କରୁଥିବା ଜନ ସାଧାରଣ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଏହେଉଛି କଳାହାଣ୍ଡି ଜିଲ୍ଲା ସଦର ମହୁକୁମାର ଭବାନୀପାଟଣା ପୌର ପରିଷଦର ସହରାଞ୍ଚଳ ରାସ୍ତାର ଚିତ୍ର । ମନ୍ଦାର ବଗିଚାପଡାଠାରୁ ବଡ଼ ପଡା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯୋଡିଥାଏ ଏହି ରାସ୍ତା । ପ୍ରାୟ ୨ କିଲୋମିଟରର ଏହି ରାସ୍ତା ଗତ ବର୍ଷଠାରୁ ଆରମ୍ଭ ହେଲାଣି । ହେଲେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ଓ ଲାଭଖୋର ମନୋଭାବ ଯୋଗୁଁ ରାସ୍ତା କାମ ନିମ୍ନମାନର ହେବା ସାଙ୍ଗକୁ ଲୋକମାନଙ୍କ ପାଇଁ ପାଲଟୁଛି ମରଣଯନ୍ତା ।
ଏ ତ ଗଲା ଭବାନୀପାଟଣା ସହରର ଦୃଶ୍ୟ । ଏ ଦୃଶ୍ୟ ହେଉଛି ଧର୍ମଗଡ଼ ସହରର । କଲେଜ ଛକ ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ 2 କିମିର ରାସ୍ତା । କିନ୍ତୁ ଖାଲ ଖମାରେ ଭର୍ତ୍ତି ଏହି ରାସ୍ତାରେ ଲହଡି ଭାଙ୍ଗୁଛି ଡ୍ରେନେଜ ପାଣି । ଟିକେ ବର୍ଷାରେ ବେହାଲ ହୋଇପଡେ ଏହି ରାସ୍ତା । ଏପଟେ ଗ୍ରାମାଞ୍ଚଳ ରାସ୍ତାର କଥା ନକହିବା ଭଲ । ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ଼ ବ୍ଲକର ମୂଷାନାଲ ଗାଁ ଠାରୁ ତେରେନାମ ଘାଟି ଦେଇ ଭବାନୀପାଟଣା ସହରକୁ ସଂଯୋଗ କରିଥାଏ ୨୫ କିଲୋମିଟରର ରାସ୍ତା । ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ କାମ ଆରମ୍ଭ ହୋଇଛି । କଳା ମଚ ମଚ ପିଛୁ ପଡିଛି କିନ୍ତୁ ହାତ ମାରିଲେ ରାସ୍ତାରୁ ପରସ୍ତ ପରେ ପରସ୍ତ ଉଠିଯାଉଛି । ସମସ୍ୟା ନେଇ ଅନେକ ସମୟରେ ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ଜନ ପ୍ରତିନିଧିଙ୍କୁ ଅଭିଯୋଗ କଲା ପରେ ମଧ୍ୟ ଫଳ ଶୂନ।
ନିମ୍ନ ମାନର ରାସ୍ତା କାମ ହୋଇଥିବା ନେଇ ଲୋକେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲା ପରେ ମଧ୍ୟ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ତେବେ ଏନେଇ ଭବାନୀପାଟଣା ପୌର ଅଧିକାରୀ ରାସ୍ତାର ଶୋଚନୀୟ ସ୍ଥିତି ପାଇଁ ପାନୀୟ ଜଳ ଯୋଗାଣ ପାଇପ ସମ୍ପ୍ରସାରଣକୁ ଦାୟୀ କରି, ବର୍ଷା ପୂର୍ବରୁ ରାସ୍ତାମାନଙ୍କ ଉନ୍ନତି କରଣ ପାଇଁ ଆଶ୍ବାସନା ଦେଇଛନ୍ତି । ରାସ୍ତା ନିର୍ମାଣରେ ଠିକାଦାର ଓ ଭିବାଗୀୟ ଅଧିକାରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ସମୟ ସୀମା ଭିତରେ କାର୍ଯ୍ୟ ଶେଷ ହେଉନଥିବା କାରଣ ସାଜିଥିବା ବେଳେ ନିମ୍ନମାନର କାମ ରାସ୍ତାର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କୋଟିକୋଟି ଟଙ୍କାର ବିନିଯୋଗ ସତ୍ତ୍ୱେ ଜିଲ୍ଲାର ରାସ୍ତା ଗୁଡିକର ସ୍ଥିତି ସୁଧୁରିବା ପରିବର୍ତ୍ତେ ଜନଜୀବନ ପାଇଁ ସାଜୁଛି କାଳ ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ