ଭବାନୀପାଟଣା: ମଦନପୁର ରାମପୁର ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ କରି ଫେରାର ଥିବା ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଘଟଣା ପରଠାରୁ ଅଭିଯୁକ୍ତ ଜଣଙ୍କ ଫେରାର ହୋଇଯାଇଥିବାବେଳେ ଗତତାଲି ତାକୁ ଦାଦ୍ରାନଗର ହାବେଳୀ ଅଞ୍ଚଳରୁ ଗିରଫ କରାଯାଇଛି ।
ସୂଚନା ଅନୁଯାୟୀ, ଗତ ମେ ମାସ ୯ ତାରିଖ ଦିନ ମଦନପୁର ରାମପୁର ଥାନା ଅଞ୍ଚଳରେ ଜଣେ ଯୁବକ ସ୍ଥାନୀୟ ଅଞ୍ଚଳରେ ଜଣଙ୍କ ଘରେ ପଶି ଜଣେ ନାବାଳିକାକୁ ଦୁଷ୍କର୍ମ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଏନେଇ ନାବାଳିକାର ପରିବାର ଲୋକ ମଦନପୁର ରାମପୁର ଥାନାରେ ଏତଲା ଦେଇଥିଲେ । ଏତଲା ଆଧାରରେ ଅଭିଯୁକ୍ତକୁ ଧରିବା ପାଇଁ ପ୍ରୟାସ ଜାରି ରଖିଥିଲା ପୋଲିସ । ଶେଷରେ ଗୁଜରାଟ-ମହାରାଷ୍ଟ୍ର ସୀମାନ୍ତ କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ଓ ନଗର ହାବେଳୀର ସିଲଭାସ ଅଞ୍ଚଳରୁ ଅଭିଯୁକ୍ତ ଯୁବକକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ନେଇ କଳାହାଣ୍ଡି SP ଶ୍ରବଣ ବିବେକ ସୂଚନା ଦେଇଛନ୍ତି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ