କଳାହାଣ୍ଡି: ଜୟପାଟଣା ବ୍ଳକ ମତୁଆଲଗୁଡା ଠାରେ ରହିଛି ଚାରୋଟି ପଥର କ୍ରସର। ଉକ୍ତ କ୍ରଶର ଗୁଡିକ ଜୟପାଟଣା ବ୍ଳକରେ ଅବସ୍ଥାପିତ ଥିବା ବେଳେ ତାଙ୍କର ପଥର କୁଆରୀ ଗୁଡିକ କୋକସରା ବ୍ଳକରେ ରହିଛି । ଯାହାଫଳରେ ଜୟପାଟଣା ତହସିଲଦାର କେବଳ କ୍ରଶରର ନିରକ୍ଷଣ କରୁଥିବା ବେଳେ କୋକସରା ତହସିଲଦାର କୁଆରୀ ଗୁଡିକର ନିରକ୍ଷଣ କରୁଛନ୍ତି।
ଏହାର ସିଧାସଳଖ ଫାଇଦା ଉଠାଇ କ୍ରଶର ମାଲିକମାନେ ଲକ୍ଷାଧିକ ଟଙ୍କାର ଚୋରା ପଥର ଚାଲାଣ କରୁଛନ୍ତି । ଦିନ ରାତି ଧରି ପଥର ବ୍ଲାଷ୍ଟିଙ୍ଗ ଓ କ୍ରସର ଚାଲିବା ଯୋଗୁଁ ଅଞ୍ଚଳରେ ଘର ଗୁଡିକ ଥରିବା ସହ ଅନେକ ଉର୍ବର ଚାଷ ଜମି ନଷ୍ଟ ହେଲାଣି । ମତୁଆଲଗୁଡା, ଜଳତାମୁଣ୍ଡା ଓ କାଶିବାହାଲରେ କ୍ରଶରର ତୀବ୍ର ଶବ୍ଦରେ ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।
ଶିବ ଶକ୍ତି ଷ୍ଟୋନ କ୍ରଶର ଅତି ଚାଲାଖ ସହ ମାତ୍ର କେଇ ସେମିର ରାଜସ୍ବ ଦେଇ ହଜାର ହଜାର ସେମିର ପଥର ବିନିୟମ ଭାବେ ଚାଲାଣ କରୁଛନ୍ତି । ମତୁଲାଲଗୁଡା ସ୍ଥିତ କୋକସରା ତହସିଲରେ ଯାଉଥିବା ଡୋକାରୀ ଡଙ୍ଗାରି ହିଁ ଏହାର ଜ୍ବଳନ୍ତ ପ୍ରମାଣ । ଏଥିରେ ମାତ୍ର ନଅ ଶହ ସେମିର ରାଜସ୍ୱ ଦେଇ ୫୦ହଜାର ସେମି ପଥର ଉଠାଣ ହୋଇଛି । ବର୍ଷେ ପୂର୍ବେ ଏହି ଡଗରୀରେ ଅନେକ ଔଷଧୀୟ ବୃକ୍ଷଲତା ସହ ଜଙ୍ଗଲୀ ପରିବେଶରେ ପରିପୂର୍ଣ୍ଣ ଥିଲା କିନ୍ତୁ କ୍ରସର ମାଲିକ ମାନେ ଦିନ ରାତି ଧରି ବେଆଇନ ପଥର ଉଠାଣ ଯୋଗୁଁ ବର୍ତ୍ତମାନ ଏହା ଟାଙ୍ଗରା ହୋଇଗଲାଣି ।
ଏନେଇ କୋକସରା ଓ ଜୟପାଟଣା ତହସିଲଦାରଙ୍କୁ ପଚାରିବାରୁ ସେ ଏଥିପ୍ରତି ପଦକ୍ଷେପ ନେବେ ବୋଲି କହିଛନ୍ତି । ତଦାରଖରେ ଯାଇ ପ୍ରଶାସନିକ ଅଧିକାରୀ କେବେ କେମିତି ଯାଇ ଫାଇନ ଆଦାୟ କରୁଛନ୍ତି ହେଲେ ଏହା କଣ ସମାଧାନର ବାଟ ? ଅଞ୍ଚଳରେ ଜଙ୍ଗଲ ଓ ପରିବେଶ ନଷ୍ଟ ହୋଇ ଯେଉଁ ସମସ୍ୟା ଆଗାମୀ ଦିନରେ ସୃଷ୍ଟି କରିବ ସେଥିପାଇଁ ଦାୟୀ ରହିବେ ସରକାର ନା ଆଉ କିଏ ?
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ