ଭାବନୀପାଟଣା: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ସାରା ଦେଶରେ ଭାରତ ଯୋଡ଼ ଯାତ୍ରା(Bharat Jodo Yatra) ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଠାରୁ ଦୁଇ ଦିନିଆ କଳାହାଣ୍ଡି ଗସ୍ତ କରିଛନ୍ତି ରାଜ୍ୟ ପିସିସି ସଭାପତି ଶରତ ପଟ୍ଟନାୟକ । ସେ ଭବାନୀପାଟଣା ଠାରେ ପହଞ୍ଚିବା ପରେ ଜିଲ୍ଲା କଂଗ୍ରେସ ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି ।
ପିସିସି ସଭାପତିଙ୍କ ସହ ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ବିହାର, ମଣିପୁର ରାଜ୍ୟ କଂଗ୍ରେସ ପ୍ରଭାରୀ ଭକ୍ତ ଚରଣ ଦାସ ଉପସ୍ଥିତ ଥିଲେ । ଏହାପରେ କଂଗ୍ରେସ ସଂଖ୍ୟାଲଘୁ ସେଲ୍ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସମସ୍ତ କଂଗ୍ରେସ ନେତାଙ୍କ ସମେତ ଜିଲ୍ଲା ମୁସଲିମ ସମ୍ପ୍ରଦାୟର ଅନେକ କର୍ମକର୍ତ୍ତା ଯୋଗ ଦେଇଥିଲେ ।
ଦେଶରେ ବିଜେପି ସରକାର ସଂଖ୍ୟାଲଘୁ ସେଲ୍ଙ୍କୁ ଗୁରୁତ୍ବ ଦେଉନଥିବାବେଳେ, ଲୋକଙ୍କ ମନରେ ଜାତିବାଦକୁ ବଢ଼ାଇବାରେ ଲାଗିଥିବା କହିଥିଲେ ଉପସ୍ଥିତ କଂଗ୍ରେସ ନେତା । ଏହାସହିତ ଆଜିଠୁ ଜୁନାଗଡ଼ଠାରେ ଭାରତ ଯୋଡ଼ ଯାତ୍ରା ଅନୁଷ୍ଠିତ ହେବ । ସ୍ଥାନୀୟ ହାଇସ୍କୁଲ ପଡିଆଠାରେ ଏକ ବିଶାଳ ଜନ ସମାବେଶର ଆୟୋଜନ କରାଯିବ ବୋଲି ସୂଚନା ଦିଆଯାଇଛି ।
ଏହାମଧ୍ୟ ପଢନ୍ତୁ: Congress Bharat Jodo Yatra: କନ୍ୟାକୁମାରୀରୁ ଆରମ୍ଭ ହୋଇ କଶ୍ମୀରରେ ହେବ ଶେଷ
୨୦୨୪ ଲୋକସଭା ନିର୍ବାଚନକୁ ଆହୁରି ଦେଢ ବର୍ଷ ବାକି ରହିଛି । ଏଥିପାଇଁ ପ୍ରମୁଖ ରାଜନୈତିକ ଦଳଗୁଡିକ ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି । କଂଗ୍ରେସ ମଧ୍ୟ ଆଗାମୀ ସାଧାରଣ ନିର୍ବାଚନରେ ବିପୁଳ ଜନସମର୍ଥନ ହାସଲ କରିବା ଲକ୍ଷ୍ୟରେ କରିବାକୁ ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିଛି । ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଏହି ଯାତ୍ରା ୧୫୦ ଦିନରେ ୧୦ ରାଜ୍ୟ ଓ ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ପରିକ୍ରମା କରି କାଶ୍ମୀରରେ ପହଞ୍ଚିବା ସହ ଶେଷ ହେବ । ଏହି ରାଜ୍ୟଗୁଡିକ ମଧ୍ୟରେ ଓଡିଶା ବାଦ୍ ପଡିଥିଲେ ହେଁ ରାଜ୍ୟ କଂଗ୍ରେସ ନେତୃତ୍ବରେ ଏହି ଯାତ୍ରା କରାଯାଉଛି ।
ଇଟିଭି ଭାରତ, କଳାହାଣ୍ଡି