ଭବାନୀପାଟଣା: ନକଲି ନୋଟ କାରବାରର ପର୍ଦ୍ଦାଫାସ । ରାଜ୍ୟରେ ଏବେ ନକଲି ନୋଟ କାରବାର ବୃଦ୍ଧି ପାଇବାରେ ଲାଗିଛି । ସହରାଞ୍ଚଳରୁ ବିଭିନ୍ନ ସମୟରେ ନକଲି ନୋଟ କାରବାର ଚାଲିଥିବା ବେଳେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ ମଧ୍ୟ କରିଛି । ଏବେ ସହରାଞ୍ଚଳରେ ପୋଲିସ ଭୟ ଥିବାରୁ ଗ୍ରାମାଞ୍ଚଳରେ ବେଧଡକ ନକଲି ନୋଟ କାରବାର ଚାଲିଛି । ନିର୍ଦ୍ବନ୍ଦରେ ନକଲି ନୋଟ କାରବାର ଚଳାଇଛନ୍ତି ମାଫିଆ । ନକଲି ନୋଟ ନେଇ ଯାଉଥିବା ସମୟରେ ଜଣେ ମାଫିଆତୁ ମାଡି ବସିଛି କଳାହାଣ୍ଡି ପୋଲିସ ।
ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅଞ୍ଚଳରେ ଗତ କିଛି ଦିନ ହେଲା ଗାଁ ମାନଙ୍କରେ ନକଲି ନୋଟ କାରବାର ହେଉଥିବା ସାମ୍ନାକୁ ଆସୁଥିଲା । ଲୋକେ ବାରମ୍ବାର ଅଭିଯୋଗ କରି ଆସୁଥିଲେ । ଅଭିଯୋଗ ପାଇବା ପରେ କଳାହାଣ୍ଡି ଏସପି ଅଭିଳାଷ ଜିଙ୍କ ନିର୍ଦ୍ଦେଶକ୍ରମେ ନକଲି ନୋଟ କାରବାର ଉପରେ ନଜର ରଖିଥିଲା ମଦନପୁର ରାମପୁର ଥାନା ପୋଲିସ । ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ନକଲି ନୋଟ ସହ ଧରିବାରେ ସଫଳ ହୋଇଛି ପୋଲିସ ।
ମଦନପୁର ଥାନା ଅନ୍ତର୍ଗତ କୁନ୍ଦେଇ ପାଲି ଗାଁର ବିରେନ୍ଦ୍ର ସୁନା ଋଷିଡା ଗାଁରୁ ନକଲି ନୋଟ ନିଜ ବାଇକ ଡିକିରେ ନେଇ ଯାଉଥିବା ଖବର ପାଇଥିଲା ପୋଲିସ । ଆଉ ଖବର ପାଇବା ପରେ ଏସପିଙ୍କ ନିର୍ଦ୍ଦେଶ କ୍ରମେ କେସିଙ୍ଗା ଏସଡିପିଓ ଏବଂ ମଦନପୁର ରାମପୁର ଥାନା ଅଧିକାରୀଙ୍କୁ ନେଇ ଏକ ଟିମ ପ୍ରସ୍ତୁତ କରିବା ସହ ନକଲି ନୋଟ ନେଇ ଯାଉଥିବା ସମୟରେ ପୋଲିସ ବଡ଼ ଡୁଙ୍ଗୁରିଗୁଡା ଛକ ନିକଟରେ ବିରେନ୍ଦ୍ର ସୁନାକୁ ଅଟକାଇବା ସହ ବାଇକକୁ ଯାଞ୍ଚ କରିଥିଲା । ଏହି ସମୟରେ ବିରେନ୍ଦ୍ର ସୁନାର ବାଇକ ଡିକିରୁ ପ୍ରାୟ ୧୦୦ ଖଣ୍ଡ 200 ଟଙ୍କିଆ ନକଲି ନୋଟ୍ ଜବତ କରିଥିଲା ପୋଲିସ । ପରେ ବିରେନ୍ଦ୍ର ସୁନାକୁ ଗିରଫ କରିବା ସହ ମଦନପୁର ରାମପୁର ଥାନାରେ ଅଭିଯୁକ୍ତକୁ ପଚାରା ଉଚୁରା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ପୋଲିସ ସୂଚନା ଦେଇଛି ।
ଏନେଇ ମଦନପୁର ରାମପୁର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ କେସିଙ୍ଗା ଏସଡିପିଓ ରୋହିତ ବର୍ମା ସୂଚନା ଦେଇଛନ୍ତି । ନକଲି ନୋଟ କାରବାର ଗ୍ରାମାଞ୍ଚଳରେ ବୃଦ୍ଧି ପାଇବାକୁ ଲାଗିଥିବା ବେଳେ ବିରେନ୍ଦ୍ର ସୁନା ଠାରୁ ପୋଲିସ ଅନେକ ତଥ୍ୟ ପାଇ ଥିବାରୁ ଆଗାମୀ ଦିନରେ ଗ୍ରାମାଞ୍ଚଳ ସମେତ ସହରାଞ୍ଚଳ ପୋଲିସ ନଜର ରଖିବା ସହ ଚଢ଼ାଉ କରିବ ବୋଲି କହିଛି ।
ଇଟିଭି ଭାରତ, କଳାହାଣ୍ଡି