ଭବାନୀପାଟଣା: ହାତୀ ଆକ୍ରଣରେ ବୃଦ୍ଧ ଗୁରୁତର । ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ରେଞ୍ଜ ଅଞ୍ଚଳରେ। ଲାଞ୍ଜିଗତ ବ୍ଳକ ଆମଝିରି ଗାଁର ରଞ୍ଜନ ମାଝୀ ଗାଁ ମୁଣ୍ଡରେ ଥିବା ଚାଷ ଜମିକୁ ଯାଇଥିବା ବେଳେ ନିକଟସ୍ଥ ନିମି ଜଙ୍ଗଲରୁ ଏକ ହାତୀପଲ ଚାଷ ଜମିକୁ ନଷ୍ଟ କରିଥିଲେ। ଏହି ସମୟରେ ସେ ହାତୀଙ୍କୁ ଘଉଡାଇବାକୁ ଚେଷ୍ଟା କରୁଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ । ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀ ଘଉଡାଇବା ସହ ଗୁରୁତର ରଞ୍ଜନଙ୍କୁ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ଜଣାପଡ଼ିଛି ।
ସେହିପରି ଲାଞ୍ଜିଗତ ବ୍ଳକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ପିଡେଲବାଜୁ ଗାଁରେ ହାତୀପଲ ଉପଦ୍ରବ କରିଥିବା ଜଣାପଡିଛି । ଗାଁର ଅନେକ ଘର, ଗାଡି, ନଳକୂପ ଭାଙ୍ଗି ଦେଇଥିବା ବେଳେ ଆସବାବପତ୍ରକୁ ମଧ୍ୟ ନଷ୍ଟ କରିଥିବା ଜଣାପଡ଼ିଛି। ଏନେଇ ଖବର ପାଇ ବନବିଭାଗ ଗାଁରେ ପହଞ୍ଚି କ୍ଷୟକ୍ଷତିର ଆକଳନ ପରେ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି। ଦିନକୁ ଦିନ ଜଙ୍ଗଲ କ୍ଷୟ ହେବା କାରଣରୁ ହାତୀ ଗାଁ ମୁହାଁ ହେଉଛନ୍ତି ଯାହା ଫଳରେ ମଣିଷ ଓ ହାତୀର ଲଢେଇରେ ଚାଷଜମି ନଷ୍ଟ ହେବା ସହ ଯାଉଛି ମଣିଷ ଜୀବନ ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ