ଭବାନୀପାଟଣା: କୋରୋନା କାଳରୁ ରାଜ୍ୟରେ ପ୍ରାୟ ଦଶମାସ ହେବ ବନ୍ଦ ରହିଥିଲା ସମସ୍ତ ସ୍କୁଲ । କୋରୋନା ସ୍ଥିତିରେ ସୁଧାର ଆସିବାରୁ ରାଜ୍ୟରେ ସ୍କୁଲ ଖୋଲିବାରୁ ନିଷ୍ପତ୍ତି ହୋଇଥିଲା । ଆଜିଠୁ ନବମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲରେ ପାଠପଢା ଆରମ୍ଭ ହୋଇଛି।
ନିଷ୍ପତ୍ତି ଅନୁସାରେ ଜିଲ୍ଲାର ସମସ୍ତ ସ୍କୁଲରେ ନବମ ଶ୍ରେଣୀ ପିଲାଙ୍କ ପାଇଁ ପାଠପଢା ଆରମ୍ଭ ହୋଇଛି । କଳାହାଣ୍ଡିର ମାଣିକେଶ୍ବରୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ନବମ ଶ୍ରେଣୀ ପିଲାଙ୍କ ପାଠପଢା ଆରମ୍ଭ ହୋଇଛି। କୋଭିଡ ନିୟମ ଅନୁଯାୟୀ ସକାଳ ୮ ଘଟିକାରୁ ଆରମ୍ଭ ହୋଇଛି ପାଠପଢା । କେବଳ ଦୁଇଘଣ୍ଟା ପାଠପଢା ଯିବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ଜିଲ୍ଲାର ସମସ୍ତ ସ୍କୁଲକୁ ପ୍ରସ୍ତୁତ କରାଯାଇଥିଲା।
ସ୍କୁଲ କ୍ୟାମ୍ପସକୁ ସାନିଟାଇଜ କରାଯିବା ସହ ଛାତ୍ରଛାତ୍ରୀଙ୍କୁ ମାକ୍ସ ବାଧ୍ୟତାମୂଳକ କରାଯାଇଛି। ପୂର୍ବରୁ ଜାନୁଆରୀ 8ରେ କେବଳ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲାଯାଇଛି । ଆଜିଠାରୁ ନବମ ଶ୍ରେଣୀ ପାଠପଢା ଆରମ୍ଭ ହୋଇ ଏପ୍ରିଲ ୩୦ରେ ଶେଷ ହେବ। ମାର୍ଚ୍ଚମାସ ସୁଦ୍ଧା ସବୁ ବିଷୟର ୟୁନିଟିକୁ ଶେଷ କରିବାର ଲକ୍ଷ୍ୟ ରଖାଯାଇଛି । ଏପ୍ରିଲ ଶେଷ ସୁଦ୍ଧା ବାର୍ଷିକ ପରୀକ୍ଷା କରାଯିବା ନେଇ ସୂଚନା ମିଳିଛି।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ