କଳାହାଣ୍ଡି: ଚେକିଂ ନାଁରେ ବିଚ୍ ରାସ୍ତାରେ ମହିଳାଙ୍କଠାରୁ ସୁନା ଗହଣା ଲୁଟ୍ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ । ଆଉ ସିସିଟିଭିରେ ଲୁଟ୍ର ପୂରା ଦୃଶ୍ୟ ବି କଏଦ ହୋଇଛି ।
ଅଭିଯୋଗ ଅନୁସାରେ, ଶୁକ୍ରବାର ରାମକଲି ଅଗ୍ରଓ୍ୱାଲ ନାମକ ଜଣେ ମହିଳା ମାଉସୀ ମା’ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ । ଦର୍ଶନ ସାରି ଘରକୁ ଫେରୁଥିଲା ସମୟରେ ରାସ୍ତାରେ ତିନିଜଣ ଯୁବକ ହଠାତ୍ ତାଙ୍କୁ ଅଟକାଇଥିଲେ । ଉପରୁ ଅର୍ଡର ଆସିଛି କହି ସେମାନେ ତାଙ୍କୁ ସମସ୍ତ ସୁନା ଗହଣା ଖୋଲି ଦେବାକୁ କହିଥିଲେ । ମହିଳା ଜଣଙ୍କ ପ୍ରଥମେ ମନା କରିଥିଲେ । ହେଲେ ଯୁବକମାନେ ତାଙ୍କୁ ଏନେଇ ବାଧ୍ୟ କରିବା ସହିତ ପିଟିବାକୁ ଧମକ ଦେବା ପରେ ସେ ଅସହାୟ ହୋଇ ପିନ୍ଧିଥିବା ସବୁ ସୁନା ଗହଣା ଖୋଲି ଏକ ପଲିଥିନ୍ରେ ରଖିଥିଲେ ।
ଏହାପରେ ଉକ୍ତ ତିନି ଯୁବକ ସେହି ସୁନା ଗହଣ ନେଇ ଫେରାର ହୋଇଯାଇଥିଲେ । ଏନେଇ ମହିଳା ଜଣଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ସଙ୍ଗେସଙ୍ଗେ ନିକଟରେ ଥିବା ସିସିଟିଭିକୁ ଯାଞ୍ଚ କରିଥିଲେ । ହେଲେ ଲୁଟେରାଙ୍କ ଟେର୍ ପାଇ ନ ଥିଲେ ।
ପରେ ଏନେଇ ସେମାନେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରୁଛି ।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ