କଳାହାଣ୍ଡି: ଜିଲ୍ଲାରେ ପ୍ରବାହିତ ହାତୀ ନଦୀ କୂଳିଆବାସୀ ଏବେ ଚିନ୍ତାରେ । କାରଣ ଜିଲ୍ଲାରେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ପ୍ରତିବର୍ଷ ବର୍ଷା ଋତୁରେ ହାତୀ ନଦୀରେ ବନ୍ୟା ଆସି କୂଳ ଲଙ୍ଘିଥାଏ । ଫଳରେ ବନ୍ୟା ବିପନ୍ନଙ୍କ ପାଇଁ କଲମପୁର ବ୍ଲକ ବାଲିଛଡା ଠାରେ ଏକ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହୋଇଥିବା ବେଳେ ଆଶ୍ରୟ ସ୍ଥଳୀକୁ ଯିବା ପାଇଁ ରାସ୍ତା ନଥିବାରୁ ନିର୍ମାଣର ପ୍ରଣାଳୀ ଉପରେ ଏବେ ଛିଡା ହୋଇଛି ପ୍ରଶ୍ନବାଚୀ ?
ହାତୀ ନଦୀ କୂଳରେ ରହିଛି ବାଲିଛଡା ଗାଁ । ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ କାର୍ଯକ୍ଷମ ହେବା ପରେ ଚିରସ୍ରୋତା ହୋଇଛି ହାତୀନଦୀ । ଯାହା ଫଳରେ ବର୍ଷା ଋତୁରେ କଲମପୁର ବ୍ଲକର ଟେମରା , ପରୁଆଗୁଡା, ମାଟିଖାଲ, ବିରିପୁର ଜାମପଡା,ବଙ୍କ।ପଲା, ଖଠି ଡଙ୍ଗରୀଗୁଡା, ସାନକୁଟ୍ରୁ ଆଦି ଗାଁ ର ଲୋକେ ପ୍ରଭାବିତ ହୋଇଥାନ୍ତି । ଆଉ ଏମାନଙ୍କ ଆଶ୍ରୟ ପାଇଁ ବାଲିଛଡାରେ ଏକ ବନ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ ହୋଇଛି ସତ କିନ୍ତୁ ଭୁଲ ନିର୍ମାଣ ପ୍ରଣାଳୀ ଯୋଗୁଁ ତାହା କାମରେ ଆସୁନଥିବା ଅଭିଯୋଗ ହୋଇଛି ।
ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା ବନ୍ୟାଞ୍ଚଳ ଭିତରେ ଆଶ୍ରୟ ସ୍ଥଳୀ ନିର୍ମାଣ ହୋଇଥିବାରୁ ବନ୍ୟା ସମୟରେ ଆଶ୍ରୟସ୍ଥଳୀ ମଧ୍ୟ ପାଣିଘେରରେ ରହିଥାଏ । ଫଳରେ ବନ୍ୟା ବିପନ୍ନ କେମିତି ଆଶ୍ରୟସ୍ଥଳୀକୁ ଯିବେ ସେନେଇ ଚିନ୍ତାରେ।
ସେପଟେ ୨୦୧୦ ମସିହା ରେ ଦେଖାଦେଇଥିବା ବନ୍ୟା ପରିସ୍ଥିତି ସମୟରେ ତତକାଳୀନ ରାଜସ୍ୱ ତଥା ବିପର୍ଯ୍ୟୟ ପ୍ରଶମନ ବିଭାଗ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଜିଲ୍ଲାର ବନ୍ୟାଞ୍ଚଳ ଗସ୍ତ ଆସିଥିଲେ । ନଈ କୂଳିଆ ଗାଁର ସୁରକ୍ଷା ପାଇଁ ତୁରନ୍ତ ୨ କୋଟି ଟଙ୍କାରେ ଜଳ ସମ୍ପଦ ବିଭାଗ ମାଧ୍ୟମରେ ପଥରବନ୍ଧ ନିର୍ମାଣ ପାଇଁ ଘୋଷଣା କରିଥିଲେ ।
ଏନେଇ ଟେଣ୍ଡର ଚୁକ୍ତିନାମା କରିଥିବା କମ୍ପାନୀ ନିମ୍ନ ମାନର କାମ ସହ ସୂଚାରୁ ରୂପେ କାର୍ଯ୍ୟ ସମ୍ପାଦନ ନକରିବା ଓ କାମ ଅଧପନ୍ତରିଆ ଭାବେ ପଡି ରହିଥିବା ବେଳେ ମାମଲା ଏବେ ଅଦାଲତରେ ରହିଛି । ଆଉ ଉଭୟ ବିଭାଗ ଓ କାର୍ଯ୍ୟକାରୀ ସଂସ୍ଥାର ଆଇନ ଯୁଦ୍ଧରେ ବଳି ପଡିଛି ବନ୍ୟା ପ୍ରପୀଡିତଙ୍କ ଭାଗ୍ୟ ଓ ଭବିଷ୍ୟତ । ସେପଟେ ଜିଲ୍ଲାପାଳ ଏନେଇ ପଦକ୍ଷେପ ନିଆଯାଉଥିବା ପ୍ରକାଶ କରିଛନ୍ତି ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ