ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ରେଳ ସଂଯୋଗ ଉପେକ୍ଷିତ ହେବା ଯୋଗୁଁ ଶିଳ୍ପକ୍ଷେତ୍ର ଅବହେଳିତ ରହିଛି । ଏଥିପାଇଁ କଳାହାଣ୍ଡିର ସାମାଜିକ ଏବଂ ଅର୍ଥନୈତିକ ବିକାଶରେ ବାଧକ ସୃଷ୍ଟି ହେଉଛି । ଆଜି ପର୍ଯ୍ୟନ୍ତ ଜିଲ୍ଲାବାସୀ ଉପଯୁକ୍ତ ରେଳସେବା ପାଇବାରୁ ବଞ୍ଚିତ ରହିଛନ୍ତି । ତେଣୁକରି ଜିଲ୍ଲାରେ ରେଳ ସମସ୍ୟାର ସମାଧାନ ଦାବିରେ ଦିଲ୍ଲୀରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିଛି କଳାହାଣ୍ଡି ବିକାଶ ପରିଷଦ । ୧୨ ଗୋଟି ଦାବି ନେଇ ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛି ।

୨୦୨୩ ମସିହାରେ କଳାହାଣ୍ଡି ଜିଲ୍ଲାର ଜନସଂଖ୍ୟା ପ୍ରାୟ ୨,୧୯୧,୮୪୮ । ୭୯୨୦ ବର୍ଗ କିଲୋମିଟର ପରିମିତ ଅଞ୍ଚଳରେ ଏହି ଜିଲ୍ଲା ପରିବ୍ୟାପ୍ତ ହୋଇଥିବା ବେଳେ ଏଠାରେ ସ୍ଥିତ ୧୯ଟି ପ୍ରମୁଖ ଧର୍ମୀୟ ସ୍ଥଳ, ବାଣିଜ୍ୟ କେନ୍ଦ୍ର, ଐତିହାସିକ ସ୍ଥାନ, ପର୍ଯ୍ୟଟନ ସ୍ଥଳ, ଅଭୟାରଣ୍ୟ ମଧ୍ୟରୁ କେବଳ ଜୁନାଗଡ ଓ ଭବାନୀପାଟଣାକୁ ରେଳ ସଂଯୋଗ ହୋଇଛି । ଅନ୍ୟ ପ୍ରମୁଖ ସ୍ଥାନଗୁଡିକ ରେଳ ସୁବିଧାରୁ ବଞ୍ଚିତ ରହିଛି । ଜିଲ୍ଲାବାସୀ ସେଠାରେ ବୃହତ୍ ଶିଳ୍ପ ସ୍ଥାପନ ତତ୍ସହିତ ଏକ ରେଳ କାରଖାନା ସ୍ଥାପନ କରିବାକୁ ୨୦୦୮ରୁ ଦାବି କରିଆସୁଥିବା ବେଳେ ୨୦୧୦-୧୧ କେନ୍ଦ୍ର ବଜେଟ୍ରେ କଳାହାଣ୍ଡି ଅଥବା ଭୁବନେଶ୍ବରରେ ଏକ ରେଳ ସାମୟିକ ବଗି ମରାମତି କାରଖାନା ସ୍ଥାପନ ପ୍ରସ୍ତାବ ଆସିଥିଲା । କିନ୍ତୁ ଓଡ଼ିଶା ସରକାର ତାହା ଗଞ୍ଜାମ ଜିଲ୍ଲାରେ କରିବାକୁ ପ୍ରସ୍ତାବ ଦେଲେ । ଏହାକୁ କଳାହାଣ୍ଡି ଜିଲ୍ଲାବାସୀ ତୀବ୍ର ସମାଲୋଚନା କରିଥିଲେ ଏବଂ ପ୍ରାୟ ଦୁଇ ବର୍ଷ ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିଥିଲା ।

ବିଭିନ୍ନ ମହଲରୁ ଦାବି ପରେ ୨୦୧୩-୧୪ ବଜେଟ୍ରେ କଳାହାଣ୍ଡିରେ ଏକ ସାମୟିକ ବଗି ମରାମତି କାରଖାନା ସ୍ଥାପନ ଘୋଷଣା କରାଗଲା । ପରେ ତାହାକୁ ବିଶାଖାପାଟଣାକୁ ସ୍ଥାନାନ୍ତର କରିଦିଆଗଲା । ୨୦୧୭-୧୮ରେ ପୁନଶ୍ଚ କଳାହାଣ୍ଡିରେ ବିଦ୍ୟୁତ୍ ଚାଳିତ ରେଳ ଇଞ୍ଜିନର ସାମୟିକ ବଗି ମରାମତି କାରଖାନା ସ୍ଥାପନ ଘୋଷଣା କରାଯାଇଥିଲା ହେଲେ ସେହି ପ୍ରକଳ୍ପ କାର୍ଯ୍ୟ ଆଗେଇ ପାରୁନାହିଁ । ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ୬୦ ପ୍ରତିଶତ ଜମି ହସ୍ତାନ୍ତର କରିଥିଲେ ମଧ୍ୟ କେନ୍ଦ୍ର ଅବହେଳା କରୁଛି ।
ଏହାମଧ୍ୟ ପଢନ୍ତୁ: ପୁଣି ଟ୍ରେନ ଅଘଟଣ, ମାଲବାହୀ ଟ୍ରେନରୁ ଅଲଗା ହେଇଗଲା ଇଞ୍ଜିନ
କଳହାଣ୍ଡି ଜିଲ୍ଲାର ଜୁନାଗଡ ରୋଡ-ନବରଙ୍ଗପୁର ରେଳପଥ ପ୍ରକଳ୍ପ ପାଇଁ ସର୍ଭେ ଦୀର୍ଘ ବର୍ଷ ହେଲା ପଡି ରହିଛି । ରାୟପୁର-ରାଜିମ-ଗରିଆବନ୍ଧ-ଦେଭୋଗ-ଧର୍ମଗଡ଼-ଜୁନାଗଡ଼ ରେଳପଥ ପାଇଁ ସର୍ଭେ ଲାଗି ଅନୁମୋଦନ ମିଳିଥିଲେ ହେଁ ତାହା ବର୍ତ୍ତମାନ ଯାଏଁ ଅବହେଳିତ । ଲାଞ୍ଜିଗଡ ରୋଡ-ଫୁଲବାଣୀ-ଅନୁଗୋଳ(ତାଳଚେର) ଏବଂ ଭବାନୀପାଟଣା-କେସିଙ୍ଗା ରେଳପଥ ପ୍ରକଳ୍ପ ଆଗେଇ ପାରୁନାହିଁ । ଏଠାକୁ ସୀମିତ ସଂଖ୍ୟକ ଯାତ୍ରୀବାହୀ ଟ୍ରେନ ଚଳାଚଳ କରୁଛି । ସେଥିରେ ଜିଲ୍ଲାବାସୀଙ୍କ ପାଇଁ ଉପଯୁକ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ମଧ୍ୟ ଦାବି ହେଉଛି । କେସିଙ୍ଗା ଓ ଭବାନୀପାଟଣା ମଧ୍ୟରେ ରେଳ ସଂଯୋଗ କରିବା ସହ ଭୁବନେଶ୍ବର-ଜୁନାଗଡ଼ ଏକ୍ସପ୍ରେସ୍ରେ ପ୍ରଥମ ଶ୍ରେଣୀ ବାତାନୁକୂଳିତ ବଗି ଖଞ୍ଜିବା ଓ ଭୁବନେଶ୍ବରରୁ ଜୁନାଗଡ ଏବଂ ଜୁନାଗଡରୁ ଭୁବନେଶ୍ବରକୁ ସକାଳୁ ଏକ ଟ୍ରେନ ଚଳାଚଳ ଓ ୧୨୮୭୧/୧୨୮୭୨ ହାୱଡା, ଟିଟିଲାଗଡ, ଟିଟିଲାଗଡ଼-ଇସ୍ପାତ ଏକ୍ସପ୍ରେସ୍କୁ ଜୁନାଗଡ଼ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ପାଇଁ ଦାବି ହୋଇଛି ।
ଏହାମଧ୍ୟ ପଢନ୍ତୁ: ରେଳ ସଂଯୋଗରେ ଉପେକ୍ଷିତ କଳାହାଣ୍ଡି, ରେଳମନ୍ତ୍ରୀଙ୍କୁ ଭେଟିବ ବିକାଶ ପରିଷଦ
ରାୟଗଡ଼ାରେ ସମତା ଏକ୍ସପ୍ରେସରେ ଯାତ୍ରା କରିବାକୁ ରାୟଗଡା ଏବଂ ଜୁନାଗଡ ମଧ୍ୟରେ ଏକ ପାସେଞ୍ଜର ଟ୍ରେନ୍ ଚଳାଚଳ କରିବା ସହ ୦୮୫୦୩/୦୮୫୦୪: ରାୟଗଡ଼ାରୁ ବିଶାଖାପାଟଣା, ବିଶାଖାପାଟଣାରୁ ରାୟଗଡ଼ା ଚେୟାରକାର ଜୁନାଗଡ଼ ପର୍ଯ୍ୟନ୍ତ ସମ୍ପ୍ରସାରଣ, ଭୁବନେଶ୍ବରରୁ କେସିଙ୍ଗା ଭାୟା ଉତ୍କେଲା ଏକ ନୂଆ ରେଳପଥ ନିର୍ମାଣ, ଜୟପୁର ଓ ଜୁନାଗଡ ରୋଡ ମଧ୍ୟରେ ନୂଆ ରେଳପଥ ନିର୍ମାଣ, ଜୁନାଗଡ ଓ ଆମ୍ବାଗୁଡା ମଧ୍ୟରେ ଭାୟା ନବରଙ୍ଗପୁର ଓ କୋକସରା ଏକ ନୂଆ ରେଳପଥ ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବି ହେବା ସତ୍ତ୍ବେ ପଦକ୍ଷେପ ନିଆଯାଉନାହିଁ । ସେହିପରି ବିଶାଖାପାଟଣାରୁ ଜୁନାଗଡ଼କୁ ରେଳ ସଂଯୋଗୀକରଣ ଦ୍ବାରା ଅଧିକ ଜନସାଧାରଣ ଉପକୃତ ହୋଇପାରନ୍ତେ ।
ଭୁବନେଶ୍ବର ଇଣ୍ଟରସିଟି ବଲାଙ୍ଗୀର ପର୍ଯ୍ୟନ୍ତ ଚାଲୁ ରହିଛି । ଏହାକୁ ଜୁନାଗଡ଼ ପର୍ଯ୍ୟନ୍ତ ସଂପ୍ରସାରଣ କରିବା ଆଦି ୧୨ ଗୋଟି ଦାବି ନେଇ କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ସୁନୀତି ମୁଣ୍ଡଙ୍କ ସମେତ ପରିଷଦର ଅନ୍ୟ ସଦସ୍ୟମାନେ ଏକାଠି ହୋଇ ଦିଲ୍ଲୀଠାରେ କେନ୍ଦ୍ର ରେଳମନ୍ତ୍ରୀ ଆଶ୍ବିନ ବୈଷ୍ଣବଙ୍କୁ ସାକ୍ଷାତ କରିଛନ୍ତି ଏବଂ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ରେଳମନ୍ତ୍ରୀ ଯଥାଶୀଘ୍ର ସମସ୍ତ ଦାବି ଉପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଅଧ୍ୟକ୍ଷା ସୁନୀତି ସୂଚନା ଦେଇଛନ୍ତି ।
ଇଟିଭି ଭାରତ, କଳାହାଣ୍ଡି