ଭବାନୀପାଟଣା: ବର୍ଷା ଦେଇଗଲା ଚାଷୀ ଆଖିରେ ଲୁହ। ଚାଷୀଙ୍କ ପାଇଁ ଦାଉ ସାଜିଛି ଅଦିନିଆ ବର୍ଷା । ଧାନ ସହ ଅନ୍ୟାନ୍ୟ ପନିପରିବା ଚାଷରେ ବ୍ୟାପକ କ୍ଷତି ହୋଇଛି । ଫଳରେ ଚିନ୍ତାରେ ଚାଷୀକୂଳ । କଳାହାଣ୍ଡି ଜିଲ୍ଲାରେ କିଛି ଦିନ ତଳେ ହୋଇଥିବା ଅଦିନିଆ ବର୍ଷା ଓ କୁଆ ପଥର ମାଡ ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି । କେମିତି ପରିବାର ଚଳିବ ସେ ନେଇ ଚିନ୍ତାରେ ଚାଷୀ ।
ଜିଲ୍ଲା କୋକସରା ବ୍ଲକ ଫୁପ ଗାଁର ଅନେକ ଚାଷୀ ପନିପରିବା ଚାଷ କରି ଗୁଜୁରାଣ ମେଣ୍ଟାଇଥାନ୍ତି । ଚଳିତ ବର୍ଷ ମଧ୍ୟ ଅନେକ ଚାଷୀ ଏକର ଏକର ଜମିରେ ପରିବା ଚାଷ କରିଥିଲେ । ବେଶ ଭଲ ଦୁଇପଇସା ରୋଜଗାର କରିବାର ଆଶା ରଖିଥିଲେ । ହେଲେ ଗତକିଛି ଦିନ ତଳର ଅଦିନିଆ ବର୍ଷା ସବୁ ଛାରଖାର କରିଦେଲା । ସେମାନଙ୍କ ସ୍ବପ୍ନକୁ ଧୂଳିସାତ କରିଦେଇଛି ବର୍ଷା । ଲଗାଣ ବର୍ଷା ଓ କୁଆପଥର ମାଡ଼ ଫଳରେ ଫୁଲକୋବି ଝାଉଁଳି ପଡିଛି । ବାଡିରେ ଲାଗିଥିବା ଶାଗ ମଧ୍ୟ ନଷ୍ଟ ହୋଇ ଯାଇଛି । ବାଇଗଣ ଗଛ ସହ ଲଙ୍କା ଗଛ ମାଟିରେ ମିଶି ଯାଇଥିବାବେଳେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହୋଇଥିବା ଡାଲି ଜାତୀୟ ଫସଲ ମୁଗ, ବିରି ଆଦି ଚାଷ ଜମିରେ ପାଣି ପଶି ଫସଲ ନଷ୍ଟ ହୋଇଛି ।
ଚାଷ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତା ଚାଷୀ। ହେଲେ ଚଳିତ ବର୍ଷ ଓ କୁଆପଥର ମାଡ ସହ ଅଦିନିଆ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅଭିଯୋଗ କରିଛନ୍ତି ଚାଷୀ । ଧାର କରଜ କରି ଚାଷ କରିଥିବା ଚାଷୀ କଣ କରିବ ସେ ଚିନ୍ତାରେ ପଡିଛି । ତେବେ ସରକାର ତୁରନ୍ତ କ୍ଷୟକ୍ଷତିର ଆକଳନ କରି ସହାୟତା ଯୋଗାଇ ଦେବାକୁ ଚାଷୀ ମହଲରେ ଦାବି ହୋଇଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ