ଭବାନୀପାଟଣା: ରାତି ପାହିଲେ ପଡିବ ପଞ୍ଚମ ପର୍ଯ୍ୟାୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ । କଳାହାଣ୍ଡି ଜିଲ୍ଲାର କେସିଙ୍ଗା, କଲମପୁର ଓ ଥୁଆମୂଳ ରାମପୁର ବ୍ଲକରେ ଅନୁଷ୍ଠିତ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏନେଇ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ସୂଚନା ।
କେସିଙ୍ଗା, କଲମପୁର ଓ ଥୁଆମୂଳ ରାମପୁର ବ୍ଲକର ୭ଟି ଜୋନରେ ହେବ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ । କେସିଙ୍ଗା ବ୍ଲକର ୩୦୫ଟି ବୁଥରେ ୮୭ ହଜାର ୮୬୩ ଜଣ ଭୋଟର ମତଦାନ କରିବେ । ସେହିଭଲି କଲମପୁର ବ୍ଲକର ୧୩୧ ଟି ବୁଥରେ ୪୪ ହଜାର ୩୦୮ ଜଣ ଭୋଟର ନିଜର ମତ ସାବ୍ୟସ୍ତ କରିବାକୁ ଥିବାବେଳେ ଥୁଆମୂଳ ରାମପୁର ବ୍ଲକର ୨୮୧ ଟି ବୁଥରେ ୫୪ ହଜାର ୮୮୩ ଜଣ ଭୋଟର କରିବେ ମତଦାନ ।
କେସିଙ୍ଗା, କଲମପୁର ଓ ଥୁଆମୂଳ ରାମପୁର ବ୍ଲକରେ ୮୮ଟି ସମ୍ବେଦନଶୀଳ ବୁଥ ଥିବାବେଳେ ଏନେଇ ୪୫ ଟି ମୋବାଇଲ ପାଟ୍ରୋଲିଂ ଟିମ ଓ ୨୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏନେଇ କଳାହାଣ୍ଡି ଏସପି ଶ୍ରବଣ ବିବେକ ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ କେସିଙ୍ଗା ବ୍ଲକର ୩୦୫ ଟି ବୁଥରେ ୯୬୫ ଜଣ କର୍ମଚାରୀ ନିୟୋଜିତ ହୋଇଥିବାବେଳେ କଲମପୁର ବ୍ଲକରେ ୧୩୧ ଟି ବୁଥରେ ୪୧୯ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । ସେହିଭଳି ଥୁଆମୂଳ ରାମପୁର ବ୍ଲକର ୨୮୧ ଟି ବୁଥରେ ୮୯୨ ଜଣ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି । ପଞ୍ଚମ ପର୍ଯ୍ୟାୟରେ ଶାନ୍ତି ଶୃଙ୍ଖଳା ସହ ନିରପେକ୍ଷ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ବନ୍ଦୋବସ୍ତ କରାଯାଇଥିବା କହିଛନ୍ତି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ