ଭବାନୀପାଟଣା: ଗାଁକୁ ଯିବାକୁ ହେଲେ ପାରି ହେବାକୁ ପଡେ ନଦୀ । ରୋଗୀ ହେଉ ଅବା ସାଧାରଣ ଲୋକ ସମସ୍ତେ ଏମିତି ନଦୀ ପାରି ହୋଇ ଯିବା ଆସିବା କରନ୍ତି । ଏମିତି କି ପିଇବା ପାଣି ଟିକକ ପାଇଁ ଆଦିବାସୀ ମହିଳା ମୁଣ୍ଡରେ ଗରା ଧରି ନଦୀ ପଠାକୁ ଯାଆନ୍ତି । ଯେଉଁଠି ରାସ୍ତାଘାଟ ଓ ପିଇବା ପାଣି ପାଇଁ ଅବ୍ୟବସ୍ଥା ସେଠାରେ ସ୍ବାସ୍ଥ୍ୟ ଓ ଶିକ୍ଷାର ଅବସ୍ଥା ବି ନକହିବା ଭଲ ।
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ଦେଦର ପଞ୍ଚାୟତ ସୂର୍ଲି ଗାଁର ଏହା ଘଟଣା । ପାହାଡିଆ ଗାଁକୁ ଯିବାକୁ ନାହିଁ ରାସ୍ତା । ଖାଲ ଖମା ରାସ୍ତା ଦେଇ ଗଲେ ପାରି ହେବାକୁ ପଡେ ଶଗଡା ନଦୀ । ପିଡିଏସ ସାମଗ୍ରୀ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ଘଞ୍ଚ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଖାଲଖମା ରାସ୍ତା ପାର ହେବାକୁ ପଡେ। ମହିଳାମାନେ ପାଣି ପାଇଁ ମୁଣ୍ଡରେ ଗରା ଧରି ଗାଁ ଠାରୁ ୨ କିମି ଶଗଡା ନଦୀକୁ ଆଦିବାସୀ ମହିଳାଙ୍କ ଲମ୍ବା ଧାଡି । ସରକାରଙ୍କ ବିକାଶମୂଳକ ସ୍ଲୋଗାନ ‘ଗାଁ କୁ ଚାଲ-ଗାଁ କୁ ଗଢ’ ସତେ ଯେମିତି ଏଠାରେ ମୂଲ୍ୟହୀନ ହୋଇପଡିଛି ।
ଏସବୁ ଭିତରେ ଶିକ୍ଷା ସ୍ବାସ୍ଥ୍ୟ କଥା କିଏ ପଚାରେ । ଗାଁରେ ୪୦୦ ଲୋକଙ୍କ ପାଇଁ ଗୋଟିଏ ମାତ୍ର ନଳକୂପ ତାହା ମଧ୍ୟ ବ୍ୟବହାର ଯୋଗ୍ୟ ନୁହେଁ । ସେଥିପାଇଁ ଲୋକଙ୍କ ଶୋଷ ମେଣ୍ଟାଉଛି ଗାଁ ଠାରୁ ୨ କିମି ଦୂରରେ ଥିବା ଶଗଡା ନଦୀ। ଲାଞ୍ଜିଗଡ ଓ ଥୁଆମୂଳ ରାମପୁର ବ୍ଲକ ଭଳି ଦୁର୍ଗମ ଇଲାକାରେ ଏଭଳି ଅନେକ ଗାଁ ଅବସ୍ଥା ସମାନ । ନିତିଦିନିଆ ସଉଦା ହଉ ଅବା ପଞ୍ଚାୟତକୁ ରାସନ ପାଇଁ ଚାଲିକି ଯିବାକୁ ହୁଏ ମାଇଲ ମାଇଲ ବାଟ । ଏ ପ୍ରସଙ୍ଗ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ପରେ ସେହି ଚିରାଚରିତ ଉତ୍ତର ବିକାଶ ପାଇଁ ନିଆଯାଉଛି ପଦକ୍ଷେପ । ତେବେ ସୂର୍ଲିବାସୀ ବିକାଶର ସ୍ରୋତରେ କେବେ ସାମିଲ ହେବେ ତାକୁ ହିଁ ଅପେକ୍ଷା ।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ