ଭବାନୀପାଟଣା: ଗତକାଲି(ଗୁରିବାର) କଳାହାଣ୍ଡି ଗସ୍ତ କରିଥିଲେ ରାଜ୍ୟପାଳ ଗଣେଶୀ ଲାଲ । ଏହି ଅବସରରେ କଳାହାଣ୍ଡି କନକ୍ଲେଭ ନାମକ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନିଜର ଅଭିଭାଷଣ ଦେବା ସମୟରେ କଳାହାଣ୍ଡି କାଳିଆର ଭାତ ହାଣ୍ଡି ବୋଲି କହିଥିଲେ ରାଜ୍ୟପାଳ । ଏହାସହ ବିଦେଶୀ ଟଙ୍କା ପାଇଁ କଳାହାଣ୍ଡିକୁ ବଦନାମ କରାଯାଇଥିଲା ବୋଲି କହିଛନ୍ତି ।
ଦିନଥିଲା କଳାହାଣ୍ଡିକୁ ଭୋକର ଭୂଗୋଳର ଆଖ୍ୟା ଦିଆଯାଇଥିଲା । ମରୁଡି, ଅନାହାର ଓ ଛୁଆବିକ୍ରିର ଜିଲ୍ଲା ଭାବରେ ବିଶ୍ୱ ଦରବାରରେ କଳାହାଣ୍ଡି ଚର୍ଚ୍ଚିତ ହୋଇଥିଲା । ହେଲେ ଦୀର୍ଘ ୨୦ ବର୍ଷ ପରେ କେତେକାଂଶରେ ବଦଳିଛି କଳାହାଣ୍ଡିରେ ଭାଗ୍ୟ । ହେଲେ ଏ ସବୁ ଭିତରେ ମଧ୍ୟ ଜିଲ୍ଲାର କଳା ସଂସ୍କୃତି ଐତିହ୍ୟ ଓ ପରମ୍ପରା ବିଶ୍ୱ ଦରବାର ସୁନାମ ଅର୍ଜନ କରିଛି । ଭୋକର ଭୂଗୋଳରୁ ଭାତ ହାଣ୍ଡି ହେବାର ଯାତ୍ରା ସଫଳ ହୋଇଛି ।
ଏହା ମଧ୍ୟ ପଢନ୍ତୁ: Russian nationals Death: ପ୍ରଶ୍ନ ଉଠାଇଲେ ମନୀଷ, ତଦନ୍ତକୁ ପ୍ରଶଂସା କଲା ଋଷ ଦୂତାବାସ
ଜିଲ୍ଲାର ବିକାଶ ଓ ଜିଲ୍ଲାର ସ୍ଥିତିକୁ ନେଇ ଗୁରୁବାର ଚାଲ ଦେଖମା ଆମର କଳାହାଣ୍ଡି କେ ପକ୍ଷରୁ କଳାହାଣ୍ଡି କନକ୍ଲେଭ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟପାଳ ଗଣେଶୀ ଲାଲ, ଅବସରପ୍ରାପ୍ତ ଜିଲ୍ଲାପାଳ ଚିନ୍ମୟ ବାସୁ, ପିଟିଆଇ ନିୟୁଜ ଦିଲ୍ଲୀର ମୁଖ୍ୟ ସମ୍ପାଦକ ରାଜେଶ ମହାପାତ୍ର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ କହିଥିଲେ, "ବିଦେଶୀ ଅର୍ଥପାଇଁ କଳାହାଣ୍ଡିକୁ ବିଶ୍ୱ ଦରବାରରେ ବଦନାମ କରାଯାଇଥିଲା । ଏହା ଏକ ଷଡଯନ୍ତ୍ର ଥିଲା ।"
ତେବେ ଉପସ୍ଥିତ ଅନ୍ୟ ଅତିଥିମାନେ ଜିଲ୍ଲାର ବିକାଶ ଧାରା ଆଜିବି କିଛି ଅଞ୍ଚଳରେ ପହଞ୍ଚି ପାରି ନଥିବା ପ୍ରକାଶ କରିଥିଲେ। ଏହି କନକ୍ଲେଭରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିବିଶେଷମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାର ଅନେକ ଶିକ୍ଷାବିତ, ରାଜନେତା ଏବଂ ସାମାଜିକ ସଂଗଠକମାନେ ଉପସ୍ଥିତ ରହିଥିଲେ ।
ଇଟିଭି ଭାରତ, କଳାହାଣ୍ଡି