ଭବାନୀପାଟଣା: ହିତାଧିକାରୀଙ୍କ ୧୧ ଲକ୍ଷ ଟଙ୍କା ଜାଲିଆତି ଘଟଣାରେ ୪୨୦ ଏଜେଣ୍ଟ ଗିରଫ । ହିତାଧିକାରୀଙ୍କ ଅଜାଣତରେ ଋଣଟଙ୍କା ଉଠାଇ ପ୍ରାୟ ୧୧ ଲକ୍ଷ ଟଙ୍କା ଚଳୁ କରିଥିବା ଅଭିଯୋଗରେ ଘରୋଇ କମ୍ପାନୀର ପୂର୍ବତନ କ୍ଷେତ୍ର ସହାୟକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସମ୍ପୃକ୍ତ ଯୁବକ ହେଲେ ଧର୍ମଗଡ଼ ଥାନା କିର୍କାକାନୀ ଗ୍ରାମର ରାକେଶ ଦୁର୍ଗା । ଅଭିଯୋଗ ଅନୁଯାୟୀ, ଏକ ଘରୋଇ ଅର୍ଥ ପ୍ରଦାନକାରୀ ସଂସ୍ଥା କଳାହାଣ୍ଡି ଜିଲ୍ଲା କୋକସରା ଶାଖାରେ ପୂର୍ବରୁ ଥିବା କ୍ଷେତ୍ର ସହାୟକ ରାକେଶ କୋକସରା ଅଞ୍ଚଳର ଅନେକ ଲୋକଙ୍କୁ ପ୍ରଥମେ ଋଣ କରାଇ ଦେଇଥିଲେ । ଋଣ ପାଇବା ପରେ ହିତାଧିକାରୀମାନେ ମଧ୍ୟ ନିୟମିତ ଋଣର କିସ୍ତି ଦେଇ ଆସୁଥିଲେ ।
ଏହା ମଧ୍ୟ ପଢ଼ନ୍ତୁ: ବିଇଓ ଅଫିସ ଆକାଉଣ୍ଟାଣ୍ଟ ଟଙ୍କା ହଡ଼ପ ଘଟଣା, ଜମିକିଣାକୁ ନେଇ ଭିଜିଲାନ୍ସର ତନାଘନା
ରାକେଶ ସେମାନଙ୍କ ଠାରୁ ଋଣ କିସ୍ତି ଟଙ୍କା ସଂଗ୍ରହ କରି ଠିକ ଭାବରେ ପୈଠ କରି ଆସୁଥିଲେ । ହେଲେ ଋଣ ନେଇଥିବା କିଛି ହିତାଧିରୀ ନିଜ ପାଖରେ ଟଙ୍କା ହେବାପରେ ଏକକାଳୀନ ଋଣ ଟଙ୍କା ପୈଠକରି ଋଣ ବନ୍ଦ କରିବାକୁ ରାକେଶଙ୍କୁ ଟଙ୍କା ଦେଇଥିଲେ । କିନ୍ତୁ ସେମାନଙ୍କ ଟଙ୍କାକୁ ରାକେଶ ପୈଠ ନକରି ନିଜ ପାଖରେ ରଖି ଦେଉଥିଲେ । ଏଥିସହିତ ହିତାଧିକାରୀଙ୍କୁ ଋଣ ବନ୍ଦ ହୋଇଥିବା ନେଇ ବିଶ୍ବାସ ଜନ୍ମେଇ ଥିଲେ । ଏହା ବ୍ୟତୀତ ଋଣ ବନ୍ଦ ହୋଇଥିବା କିଛି ହିତାଧିକାରୀଙ୍କ ପୂର୍ବରୁ ଋଣ ନେଇଥିବା କାଗଜପତ୍ରକୁ ବ୍ୟବହାର କରି ସେମାନଙ୍କ ଅଜାଣତରେ ଋଣ ଆବେଦନ କରି ହିତାଧିକାରୀଙ୍କ ଟଙ୍କାକୁ ଉଠାଇ ନିଜେ ରଖି ଦେଉଥିଲେ ।
ଯେପରି କମ୍ପାନୀକୁ ସନ୍ଦେହ ନହୁଏ ସେଥିପାଇଁ ସେ ସାପ୍ତାହିକ ଭାବେ ଋଣ କିସ୍ତି ଟଙ୍କା ମଧ୍ୟ ପୈଠ କରି ଚାଲିଥିଲେ । ଯେତେବେଳେ ନିଜ ପାଖରେ ଲକ୍ଷାଧିକ ଟଙ୍କା ହୋଇଥିଲା ସେତେବେଳେ ଅତି ଚତୁରତାର ସହ ଗତ ସେପ୍ଟେମ୍ବର ମାସରେ ଚାକିରି ଛାଡ଼ିଦେଇ ଥିଲେ । ଅନ୍ୟପଟେ ନିୟମିତ ଭାବେ ଋଣ ଟଙ୍କା ପୈଠ ହୋଇଆସୁଥିବାରୁ ଶାଖା ପ୍ରବନ୍ଧକ ମଧ୍ୟ କିଛିଜାଣିପାରି ନଥିଲେ । ତେବେ ଋଣ ପ୍ରଦାନର ସପ୍ତାହ ପରେ କ୍ଷେତ୍ର ପରିଦର୍ଶନ କଲା ପରେ ହିତାଧିକାରୀମାନେ ଋଣ ବନ୍ଦ ହୋଇନଥିବା କଥା ଜାଣିବାକୁ ପାଇଥିଲେ ।
ଏହାପରେ କୋକସରା ଶାଖା ପ୍ରବନ୍ଧକ ହିମାଂଶୁ ନିଆଲ କାଗଜପତ୍ର ଯାଞ୍ଚକରି ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ପରେ କମ୍ପାନୀର ୟୁନିଟ୍ ମ୍ୟାନେଜର କୋକସରା ଥାନାରେ ଲିଖତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ କୋକସରା ପୋଲିସ ଏନେଇ ଏକ ମାମଲା ରୁଜୁ କରି ରାକେଶ ଦୁର୍ଗା ଠାରୁ ୨ଟି ପାସବୁକ୍ ଓ ଗୋଟିଏ ମୋବାଇଲ ଜବତ କରିବା ସହ ଗିରଫ କରି ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି।
ଇଟିଭି ଭାରତ, କଳାହାଣ୍ଡି