କଳାହାଣ୍ଡି: ଦାବି ହେଉଛି, ପ୍ରତିଶ୍ତୁତି ବି ମିଳୁଛି କିନ୍ତୁ ଫଳ ମିଳୁନି । ବର୍ଷକ ତଳେ ଜିଲ୍ଲାର ଗୋଲାମୁଣ୍ଡା ବ୍ଲକର 28ଟି ପଞ୍ଚାୟତକୁ କୃଷି ବୀମା ଓ ଚାଷୀଙ୍କୁ ପ୍ୟାକେଜ ପ୍ରଦାନ ପାଇଁ ଦାବି କରିଥିଲା କିଶାନସଙ୍ଘ । କିନ୍ତୁ ଦାବିକୁ ଏକବର୍ଷ ପୂରିଥିଲେ ବି କୌଣସି ପ୍ରକାରରେ ଏହା ପୂରଣ ହୋଇନାହିଁ । ଫଳରେ କିଶାନସଙ୍ଘର ଆହ୍ବାନରେ ସୋମବାର ସିନାପାଲି ଓ ଧର୍ମଗଡ଼ ମୁଖ୍ୟରାସ୍ତାକୁ ଅବରୋଧ କରିଛନ୍ତି ଶତାଧିକ ଚାଷୀ ।
ଗତବର୍ଷ ଗୋଲାମୁଣ୍ଡା ବ୍ଲକରେ ମରୁଡ଼ି ଦେଖାଯାଇଥିବାବେଳେ ଏପର୍ଯ୍ୟନ୍ତ ଚାଷୀଙ୍କୁ କୃଷି ବୀମା ଅର୍ଥ ପ୍ରଦାନ କରାଯାଇନାହିଁ । ଚାଷୀମାନଙ୍କୁ କୌଣସି ପ୍ରକାର ସହାୟତା ପ୍ଯାକେଜ ମଧ୍ୟ ଦିଆଯାଇନି । ଏହି ସମସ୍ତ ସମସ୍ଯାକୁ ନେଇ ବ୍ଲକର ଚାଷୀ ବାରମ୍ବାର ବିଡ଼ିଓଙ୍କୁ ଅଭିଯୋଗ କରିଆସୁଛନ୍ତି । କିନ୍ତୁ କୌଣସି ପ୍ରକାର ସୁଫଳ ମିଳିପାରୁନାହିଁ ।
ପ୍ରଶାସନର ବେଖାତିର ମନୋଭାବ ଓ ସମସ୍ତ ଦାବି ପୂରଣର ପ୍ରତିବାଦରେ ରାସ୍ତା ଅବରୋଧ କରିଛନ୍ତି ବ୍ଲକର ଚାଷାମାନେ । ସିନାପାଲି ଓ ଧର୍ମଗଡ଼ ମୁଖ୍ୟରାସ୍ତା ବନ୍ଦ ରହିବା ଫଳରେ ଦୁଇ ପାର୍ଶ୍ବରେ ଶହ ଶହ ଗାଡ଼ି ଅଟକି ରହିଛି ।
କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ