ଭବାନୀପାଟଣା: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟାସ୍ଥିତି ସୃଷ୍ଟି ହୋଇଛି । ବନ୍ୟା କମିଛି,ହେଲେ ଦୁଃଖ କମିନି । କେତେକ ଅଞ୍ଚଳରୁ ପାଣି ଛାଡ଼ିଛି ତ ପୁଣି କେତେକରେ ଏବେବି ଜଳବନ୍ଦୀ ସମସ୍ୟା ରହିଛି । ଅନେକ ଛୋଟ ବଡ଼ ନଦୀ ନାଳ ମାନଙ୍କରେ ବର୍ଷା ଜଳ ପ୍ରବାହିତ ହେବା ସହ ଅନେକ ଚାଷ ଜମିରେ ବର୍ଷା ଜଳ ମାଡି ଯାଇଛି । ଫଳରେ ଫସଲ ନଷ୍ଟ ହୋଇ ଯାଇଛି। ମୁଣ୍ଡର ଝାଳ ତୁଣ୍ଡରେ ମାରି ଜମିରେ ଖଟି ଥିବା ଚାଷ ଏବେ ହତାଶ ହୋଇ ପଡିଛି ।
କଳହାଣ୍ତି ଜିଲ୍ଲାର କଲମପୁର ବ୍ଲକରେ ଲଗାଣ ବର୍ଷା ଯୋଗୁଁ ହଜାର ହଜାର ହେକ୍ଟର ଚାଷ ଜମି ଜଳ ମଗ୍ନ ହୋଇ ରହିଛି । ଫଳରେ ଏବେ ସେହି ଚାଷ ଜମି ବାଲିଚରି ଯାଇଥିବା ବେଳେ ସମ୍ପୂର୍ଣ୍ଣ ଚାଷ ନଷ୍ଟ ହୋଇଛି । ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ । କିପରି ସୁଝିବ ହାତ ଉଧାରି ଆଣିଥିବା ଟଙ୍କା । ଏନେଇ ଚାଷୀମାନେ କ୍ଷତିପୂରଣ ଦାବିରେ ତହସିଲଦାର ଓ ବ୍ଲକ କୃଷି ଅଧିକାରୀଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଖୁବଶୀଘ୍ର ସରକାର କ୍ଷୟକ୍ଷତିର ଅକାଳନ କରି ଚାଷୀଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଚାଷୀ ଦାବି କରିଛନ୍ତି ।
ଏହାବି ପଢନ୍ତୁ:ବରଗଡ ନାବାଳକ ହତ୍ୟା ଘଟଣା, ସମ୍ପର୍କୀୟ ଭାଇ ଗିରଫ
ଏନେଇ କ୍ଷତିଗ୍ରସ୍ତ ଚାଷୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।‘‘ଗତ ରବି ଫସଲ ହୋଇ ନ ଥିବା ବେଳେ ଏଥର ଖରିପ ଫସଲ ବି ବନ୍ୟା ପାଣିରେ ନଷ୍ଟ ହୋଇଗଲା । ଲଗାଣ ବର୍ଷା ଯୋଗୁଁ ହୋଇଥିବା କ୍ଷତିପୁରଣ ଖୁବଶୀଘ୍ର ଆକଳନ କରି ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉ ବୋଲି ସେ କହିଛନ୍ତି ’’ । ସେପଟେ ଏନେଇ କୌଣସି ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିନାହିଁ । ତେବେ ଦେଖିବାକୁ ବାକି ରହିଲା କେବେ, କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରୁଛନ୍ତି ସରକାର ।
ଇଟିଭି ଭାରତ, କଳହାଣ୍ତି