ଭବାନୀପାଟଣା : ଦିନକୁ ଦିନ ଜଙ୍ଗଲ କ୍ଷୟ ହେବାରେ ଲାଗିଛି । ଫଳରେ ହାତୀ ଜନବସତି ମୁହାଁ ହେଉଛନ୍ତି ହାତୀ । କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ରେଞ୍ଜ ଅନ୍ତର୍ଗତ ଖିକସାବଟ୍ଟା ଗାଁରେ ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ବେଳେ ଚାଷ ମଧ୍ୟ ନଷ୍ଟ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଛି ।
ସୂଚନା ଅନୁସାରେ, ଖିକସାବଟ୍ଟା ଗାଁର ଭୁବନ ଗୌଡ଼ ନିଜ ଧାନା ଖଳାରେ ଶୋଇଥିବା ସମୟରେ ଜଙ୍ଗଲରୁ ୨୦ ରୁ ଉର୍ଦ୍ଧ ହାତୀ ପଲ ପଶି ଆସି ଖଳାରେ ଥିବା ଧାନ ଖାଇଥିଲେ । ପରେ ଭୁବନକୁ ଟେକି କଚାଡି ଦେଇଥିଲେ ହାତୀପଲ । ଖବର ପାଇ ନିକଟ ଖଳାରେ ଥିବା ଲୋକେ ଏଲିଫେଣ୍ଟ ସ୍କ୍ବାର୍ଡକୁ ଡାକି ଭୁବନକୁ ଉଦ୍ଧାର କରିଥିଲେ । ଏହାସହ ଗୁରୁତର ଅବସ୍ଥାରେ ନର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବନ ବିଭାଗ ପକ୍ଷରୁ ଗୁରୁତର ଯୁବକଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ସେହିପରି ଲାଞ୍ଜିଗଡ଼ ବ୍ଲକ କୁଟିଙ୍ଗ ପଦର ଗାଁରେ ମଧ୍ୟ ଦେଖିବାକୁ ମିଳିଛି ଗଜରାଜଙ୍କ ଆତଙ୍କ। ସୂଚନା ଅନୁଯାୟୀ କୁଟିଙ୍ଗ ପଦର ଗାଁ ନିକଟରେ ଥିବା ଝଳିଆ ହଙ୍ଗଲରୁ ୨୫ ଟିକିଆ ହାତୀ ପଲ ଗାଁକୁ ପଶି ଆସିଛନ୍ତି । ଅନେକ ଘର ଭାଙ୍ଗିବା ସହ ଚାଷ ଜମିରେ ପଶି ମାଣ୍ଡିଆ, କାନ୍ଦୁଲ ଧାନ ଭଳି ଅନେକ ଚାଷ ଦଳି ଚକଟି ନଷ୍ଟ କରିଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଲୋକେ ବନ ବିଭାଗ ନିକଟରେ ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି କ୍ଷୟକ୍ଷତିର ଆକଳନ ଆରମ୍ଭ କରିଛି । ଆକଳନ ପରେ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି।
କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ