ଭବାନୀପାଟଣା: ଦିନକୁ ଦିନ ଉପାନ୍ତ ଅଞ୍ଚଳରେ ବୃଦ୍ଧି ପାଉଛି ହାତୀ ଉପଦ୍ରବ । ଫଳରେ ଚିନ୍ତାରେ ପଡିଛନ୍ତି ଜଙ୍ଗଲ ମଧ୍ୟରେ ବସବାସ କରୁଥିବା ଆଦିବାସୀ ପରିବାର ।
ଗୋଟେ ପଟେ ଜଙ୍ଗଲ କ୍ଷୟ ହେବା ଯୋଗୁଁ ଜଙ୍ଗଲୀ ଜନ୍ତୁ ଜନବସତି ମୁହାଁ ହେଉଥିବାବେଳେ ଅନ୍ୟପଟେ ବନ ବିଭାଗ ହାତୀଙ୍କ ଚଳପ୍ରଚଳ ଉପରେ ନଜର ନ ରଖିବାରୁ ଲୋକେ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । କଳାହାଣ୍ଡି ଜିଲ୍ଲାର ବଣ ପାହାଡ଼ ଘେରା ଦକ୍ଷିଣ ବନଖଣ୍ଡ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଦୀର୍ଘ ଦିନ ହେବ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ବଢିବାରେ ଲାଗିଛି । ଫଳରେ ଜଙ୍ଗଲରେ ବସବାସ କରୁଥିବା ଲୋକେ ବାସହରା ହେବା ସହ କାହାର ଜୀବନ ଯାଉଛି ତ ପୁଣି କାହାର ଚାଷ ଏବଂ ବାସ ନଷ୍ଟ ହେଉଛି ।
କିଛିଦିନ ତଳେ ଲାଞ୍ଜିଗଡ଼ ବ୍ଲକର ପଟାଙ୍ଗପଦର ଗାଁ ନିକଟରେ ଥିବା ଧଡେଲ ଜଙ୍ଗଲରୁ ୨୫ ଟିକିଆ ହାତୀପଲ ବ୍ୟାପକ କ୍ଷୟକ୍ଷତି କରିବା ସହ ଅନେକ ଘରଦ୍ୱାର ଭାଙ୍ଗି ମାଣ୍ଡିଆ, ଧାନ ଭଳି ଅନେକ ଚାଷ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ସେହିଭଳି ଜୁଗସାଇ ପାଟଣା ଅଞ୍ଚଳରେ ମଧ୍ୟ ହାତୀ ଗାଁ ମୁହାଁ ହୋଇଛନ୍ତି । ବର୍ତ୍ତମାନ ମଧ୍ୟ ଗାଁ ନିକଟରେ ହାତୀ ଥିବା କାରଣରୁ ଭୟଭୀତ ଅବସ୍ଥାରେ ଅଛନ୍ତି ଭଟାଙ୍ଗପଦର ଗ୍ରାମବାସୀ । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀ ପହଞ୍ଚି କ୍ଷୟକ୍ଷତିର ଆକଳନ ପରେ ସରକାରୀ ସହାୟତା ଯୋଗାଇ ଦିଆଯିବା ସହ ହାତୀଙ୍କୁ ଘଉଡାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ପ୍ରକାଶ କରିଛନ୍ତି ବନବିଭାଗ ଅଧିକାରୀ ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ