ଭବାନୀପାଟଣା: ଉଦ୍ଧାର ହେଲା ଗଜରାଜ । ଦୀର୍ଘ ୭ ଘଣ୍ଟାର ଅପରେସନ ପରେ ଗଜରାଜ ଉଦ୍ଧାର ଶେଷରେ ସଫଳ ହୋଇଛି । ରବିବାର ବିଳମ୍ବିତ ରାତିରେ ନିର୍ମାଣଧୀନ ଏକ ପୋଖରୀରେ ଫସିଥିବା ଗଜରାଜକୁ ଉଦ୍ଧାର କରିଛି ବନବିଭାଗ (Elephant rescue from pond in Kalahandi) । ସୂଚନାନୁସାରେ କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ରେଞ୍ଜ ଅନ୍ତର୍ଗତ ଦାରକାପାଞ୍ଚ ଜଙ୍ଗଲରୁ ଏକ ୧୦ ଟିକିଆ ହାତୀ ପଲ ବିଳମ୍ବିତ ରାତିରେ ସ୍ଥାନୀୟ ଖର୍ଡିଆପଡା ଗାଁକୁ ପଶି ଆସିଥିଲେ ।
ହେଲେ ଏମାନଙ୍କ ମଧ୍ୟରୁ ଗୋଟିଏ ଗଜରାଜ ଗାଁ ଶେଷ ମୁଣ୍ଡରେ ଥିବା ନିର୍ମାଣଧୀନ ପୋଖରୀ ଗାତରେ ପଡି ଯାଇଥିଲା । ପୋଖରୀରେ ପାଣି ଥିବା ଯୋଗୁଁ ଗଜରାଜ ବାହାରକୁ ବାହାରି ପାରିନଥିଲା । ହାତୀଟିର ଗର୍ଜନ ଶୁଣି ଭୟରେ ଲୋକେ ରାତି ତମାମ ଘରେ ରହିଥିଲେ ।ଆଜି ସକାଳୁ ଗାଁ ଲୋକେ ପୋଖରୀକୁ ଯାଇ ଦେଖିଲା ବେଳକୁ ଦନ୍ତା ହାତୀ ପୋଖରୀରେ ପଡିଥିବା ଦେଖିବାକୁ ପାଇଥିଲେ । ପରେ ବନ ବିଭାଗକୁ ତୁରନ୍ତ ଜଣାଇଥିଲେ । ଖବରପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗଜରାଜକୁ ଉଦ୍ଧାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ ।
ଗ୍ରାମବାସୀଙ୍କ ସହଯୋଗରେ ଦୀର୍ଘ ୭ଘଣ୍ଟାର ପରିଶ୍ରମ ପରେ ଗଜରାଜକୁ ଉଦ୍ଧାର କରିବାରେ ସଫଳ ହୋଇଥିଲା ବନ ବିଭାଗ । ଅନ୍ୟପକ୍ଷରେ ହାତୀ ପୋଖରୀରୁ ଉଦ୍ଧାର ହେବାପରେ ଆକ୍ରମଣ ସକାଶେ ବନବିଭାଗ କର୍ମଚାରୀଙ୍କ ସମେତ ଲୋକଙ୍କୁ ଗୋଡ଼ାଇବାରେ ଲାଗିଥିଲା । ଫଳରେ ପ୍ରାଣ ବିକଳରେ ବନ ବିଭାଗ କର୍ମଚାରୀ ଓ ଗ୍ରାମବାସୀ ଘଟଣାସ୍ଥଳରୁ ପଳାଇଯାଇଥିଲେ । ଏହି ୧୦ ଟିକିଆ ହାତୀ ପଲ ଖର୍ଡିଆପଡା ଗାଁରେ ଥିବା ଅନେକ ଫସଲ ନଷ୍ଟ କରି ଦେଇଛି । ଏକ ଏକର ଫସଲକୁ ଦଳି ଚକଟି ନଷ୍ଟ କରିଦେଇଛନ୍ତି ।
ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀମାନେ । ଅନ୍ୟପକ୍ଷରେ ଗାଁରେ ହାତୀପଲଙ୍କ ଆତଙ୍କ ଦେଖା ଦେଇଥିବାବେଳେ, ଗାଁ ଲୋକେ ଭୟରେ ଘରୁ ବାହାରୁ ନାହାଁନ୍ତି । ଏପରିକି କୌଣସି ଜରୁରୀ କାମ ପଡ଼ିଲେ ଲୋକେ ହାତରେ ଠେଙ୍ଗା, ବାଡ଼ି ଧରି ବାହାରକୁ ଯାଉଛନ୍ତି । ଛୋଟ ଛୁଆ ମଧ୍ୟ ଘର ଭିତରେ ୨୪ ଘଣ୍ଟା ବନ୍ଦ ହୋଇ ରହୁଛନ୍ତି । ହାତୀର ଗର୍ଜନ ଶୁଣି ଭୟରେ ଥରୁଛନ୍ତି ଗ୍ରାମବାସୀ । ଏପରିକି କୌଣସି କାମ ପଡ଼ିଲେ ବାହାରକୁ ଯିବାକୁ ବି ଭୟ କରୁଛନ୍ତି ଲୋକେ । ଦିନ ସମୟରେ ବି ଘର ଆଗରେ ବୁଲିଛି ହାତୀ । ହାତୀ ଗାଁ ଭିତରକୁ ପ୍ରବେଶ ନେଇ ବନ ବିଭାଗ ବି ଚିନ୍ତାରେ ପଡ଼ିଛି । କିପରି ଲୋକଙ୍କୁ ସୁରକ୍ଷା ଦେବ ତାହାକୁ ନେଇ ଏବେ ବନ ବିଭାଗ ଚିନ୍ତାରେ ରହିଛି ।
ଅନ୍ୟପକ୍ଷରେ ହାତୀପଲକୁ ଗାଁରୁ ଘଉଡ଼ାଇବା ପାଇଁ ଚେଷ୍ଟା ଜାରି ରଖିଛି ବନବିଭାଗ । ଅନେକ ପ୍ରକାରର ବାଣ ଫୁଟାଇବା ସହ ନିଆଁ ଜଳାଇ ହାତୀକୁ ଡରାଉଛି । ହେଲେ ଜିଦଖୋର ହାତୀପଲ ଏହାକୁ ମଧ୍ୟ ଡରୁ ନାହାଁନ୍ତି । ଗାଁରେ ଏହି ହାତୀପଲଙ୍କ ପ୍ରବେଶକୁ ନେଇ ଗ୍ରାମବାସୀ ଭୟଭୀତ ଥିବାବେଳେ ଆଖପାଖ ଗାଁ ଲୋକେ ମଧ୍ୟ ଏହାକୁ ନେଇ ଭୟଭୀତ ରହିଛନ୍ତି । ଯଦି ଏହି ହାତୀପଲ ପାଖ ଗାଁକୁ ପଳାଏ ତେବେ ପରିସ୍ଥିତି ଆହୁରି ଜଟିଳ ହୋଇପାରେ ବୋଲି ବନବିଭାଗ ଆଶଙ୍କା କରୁଛି ।
ଇଟିଭି ଭାରତ, କଳାହାଣ୍ଡି