ଭବାନୀପାଟଣା: ବନ୍ଧା ହେଲେ ଜାଲ ସାର୍ଟିଫିକେଟର ମୁଖ୍ୟ କାର୍ପଟଦାର । କଳାହାଣ୍ଡି ଜିଲ୍ଲାରେ ଶିକ୍ଷକ ଚାକିରୀ ପାଇଁ ଜାଲ ସାର୍ଟିଫିକେଟ ଯୋଗାଇଥିବା ଭବାନୀପାଟଣା ଡିପିସି କାର୍ଯ୍ୟାଳୟ ପ୍ରୋଗ୍ରାମ ଆସିଷ୍ଟାଣ୍ଡକୁ ଗିରଫ କରିଛି ଜୁନାଗଡ ପୋଲିସ । ଅଧିକ ପଚରାଉଚରା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଅଭିଯୁକ୍ତ ଜଣକ ହେଲେ ନରେନ୍ଦ୍ର ସାହୁ ।
କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍କୁଲରେ ଶାରୀରିକ ଶିକ୍ଷା ଓ କଳା ଶିକ୍ଷକ ନିଯୁକ୍ତି ପାଇବା ସମୟରେ ଅଧିକାଂଶ ପ୍ରାର୍ଥୀ ନକଲି ସାର୍ଟିଫିକେଟ ଦେଇ ଚାକିରୀ କରିଥିବା ନେଇ ଅଭିଯୋଗ ହୋଇଆସୁଥିଲା । ଏହି ଘଟଣାର ତଦନ୍ତ କରି ଜିଲ୍ଲାର ବିଭିନ୍ନ ବ୍ଲକର ୨୫ ଜଣ ପିଇଆଇ, ଏଇଆଇ ଶିକ୍ଷକଙ୍କୁ ଜିଲ୍ଲା ଶିକ୍ଷାଧିକାରୀ ଚାକିରୀରୁ ବହିଷ୍କୃତ କରିଥିଲେ ।
ପରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ବିଭିନ୍ନ ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ଏନେଇ ଆରମ୍ଭ କରିଥିଲା ତଦନ୍ତ । ପୋଲିସର ସରଜମିନ ତଦନ୍ତ ପରେ ଶିକ୍ଷକଙ୍କୁ ଜାଲ ସାର୍ଟିଫିକେଟ ଯୋଗାଇଥିବା ନରେନ୍ଦ୍ର ସାହୁଙ୍କୁ ଗିରଫ କରାଯାଇଛି ।
କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ