ଭବାନୀପାଟଣା: ନିଜ ହକ ଓ ଅଧିକାର ପାଇଁ ରାଜ ରାସ୍ତାରେ ଏବେ ବିସ୍ଥାପିତ ବ୍ୟବସାୟୀ । ଛୋଟ ଛୋଟ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ବିସ୍ଥାପିତ ମାନଙ୍କୁ ଭୁଆଁ ବୁଲାଉଛି ପୌର ବିଭାଗ । ଯାହାକୁ ନେଇ ଆନ୍ଦୋଳନ ମୁହାଁ ବିସ୍ଥାପିତ ବ୍ୟବସାୟୀ ।
ସୂଚନା ଅନୁଯାୟୀ, ୨୦୧୫ ମସିହାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ସୌନ୍ଦର୍ଯ୍ୟ କରଣ ପାଇଁ ରାସ୍ତା କଡରେ ଥିବା ଅନେକ ଦୋକାନ ଭାଙ୍ଗିବା ସହ ସେମାନଙ୍କୁ ବିସ୍ଥାପିତ କରିଥିଲା ଜିଲ୍ଲାପାଳ ପ୍ରଶାସନ । ଯଥା ଶୀଘ୍ର ଦୋକାନ ଗୃହ ନିର୍ମାଣ କରି ପ୍ରତ୍ୟେକ ବିସ୍ଥାପିତ ବ୍ୟବସାୟୀଙ୍କୁ ଥଇଥାନ କରିବା ପାଇଁ ସେତେବେଳେ ପ୍ରତିଶୃତି ମିଳିଥିଲା । ଇତିମଧ୍ୟରେ କୋଟିକୋଟି ଟଙ୍କା ବ୍ୟୟରେ ସହରର ବିଭିନ୍ନ ସ୍ଥାନରେ ମାର୍କେଟ କମ୍ପ୍ଲେକ୍ସ ମାନ ନିର୍ମାଣ ମଧ୍ୟ ହୋଇଛି । ହେଲେ ବିସ୍ଥାପିତ ହେବାର ୭ବର୍ଷ ବିତି ଯାଇଥିଲେ ମଧ୍ୟ ସେମାନଙ୍କୁ ଦୋକାନ ଘର ଏଯାଏଁ ମିଳିନାହିଁ । ଏଦିଗରେ ପୌର ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ଦୃଷ୍ଟି ନଦେବାରୁ ଶେଷରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିସ୍ଥାପିତ ବ୍ୟବସାୟୀ ।
ଏହା ମଧ୍ୟ ପଢନ୍ତୁ: ପ୍ରେମିକ ଘର ଆଗରେ ରହିଲା ପ୍ରେମିକାର ମୃତଦେହ, ପ୍ରଶାସନର ହସ୍ତକ୍ଷେପ ପରେ ସଂସ୍କାର
ଏନେଇ ମଙ୍ଗଳବାର ସହରର ଶତାଧିକ ବିସ୍ଥାପିତ ବ୍ୟବସାୟୀଙ୍କ ଏକ ବିକ୍ଷୋଭ ଶୋଭାଯାତ୍ରା ମାଣିକେଶ୍ବରୀ ମନ୍ଦିରରୁ ବାହାରିଥିଲା । ଆନ୍ଦୋଳନକାରୀ ସହର ପରିକ୍ରମା କରିବା ପରେ ପୌର କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧାରଣା ଦେଇଛନ୍ତି । ଦୋକାନ ହରାଇଥିବା ସମସ୍ତ ହିତାଧିକାରୀଙ୍କୁ ସାତ ବର୍ଷର କ୍ଷତିପୂରଣ ବାବଦକୁ ୫ ଲକ୍ଷ ଟଙ୍କା ପ୍ରଦାନ, ଦୋକାନ ହରାଇଥିବା ସମସ୍ତ ହିତାଧିକାରୀ ମାନଙ୍କୁ ତାଙ୍କର ପୂର୍ବ ସ୍ଥାନରେ ଥଇଥାନ ସହ ଦୋକାନ ଗୃହର ସର୍ବନିମ୍ନ ହାରରେ ଅଂଶଧନ ଜମା କରିବା ପାଇଁ ବ୍ୟବସ୍ଥା କରିବା ଦାବି ନେଇ ଆନ୍ଦୋଳନରେ ବସିଛନ୍ତି ସମସ୍ତ ବିସ୍ଥାପିତ ବ୍ୟବସାୟୀ । ତେବେ ଆସନ୍ତା ୭ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ପୌର କାର୍ଯ୍ୟାଳୟ ସମ୍ମୁଖରେ ସମୂହ ଆତ୍ମାହୁତି ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ବିସ୍ଥାପିତ ବ୍ୟବସାୟୀ ସଂଘ ।
ଇଟିଭି ଭାରତ, କଳାହାଣ୍ଡି