ଭବାନୀପାଟଣା: ସାମ୍ବାଦିକ ଜଗତର ଜଣେ ଚର୍ଚ୍ଚିତ ନିର୍ଭୀକ ଚେହେରା । ଯିଏକି ସାଧାରଣ ଲୋକଙ୍କ ସମସ୍ୟାର କଥା ହେଉ ଅବା ଆଦିବାସୀଙ୍କ ହକ୍ ର କଥାକୁ ଅତି ନିଖୁଣ ଭାବରେ ଉପସ୍ଥାପନା କରୁଥିବା ବ୍ୟକ୍ତି । ଅନେକ ନିର୍ଭିକ ସାମ୍ବାଦିକ ଗଠନ କ୍ଷେତ୍ରର ଜଣେ ବିନ୍ଧାଣି ଯାହାଙ୍କ ଅକାଳ ବିୟୋଗ ସାମ୍ବାଦିକ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ । ତେବେ କଳାହାଣ୍ଡି ଜିଲ୍ଲା ର ବରିଷ୍ଠ ତଥା ନିର୍ଭୀକ ସାମ୍ବାଦିକ ସ୍ବର୍ଗତ ମହମ୍ମଦ ଅସଲମ୍ ଙ୍କ ପ୍ରଥମ ପୁଣ୍ୟ ତିଥି ଅବସରରେ ଆଜି ମହମ୍ମଦ ଅସଲମ ସ୍ମୃତି କମିଟି ପକ୍ଷରୁ ଭବାନୀପାଟଣା ଅମଲା ଭବନ ପରିସରରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାସ, ପୂର୍ବତନ ମନ୍ତ୍ରୀ ରାହସ ବିହାରୀ ବେହେରା, ଜିଲ୍ଲା ବ୍ୟବସାୟୀ ସଂଘର ସଭାପତି ବିଜୟ ସାହୁ, ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଣ୍ଡା ସମେତ କଳାହାଣ୍ଡି ଜିଲ୍ଲାର ସମସ୍ତ ୧୩ଟି ବ୍ଲକରୁ ସାମ୍ବାଦିକ ଅସଲମ ପ୍ରେମୀ ଓ ତାଙ୍କ ପରିବାର ବର୍ଗ ସାମିଲ ହୋଇ ସ୍ବର୍ଗତ ମହମ୍ମଦ ଅସଲମ୍ ଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ଜିଲ୍ଲାର ବିକାଶ କ୍ଷେତ୍ରରେ ସ୍ବର୍ଗତ ମହମ୍ମଦ ଅସଲମଙ୍କ କଣ ଭୂମିକା ଥିଲା ସେ ଉପରେ ଉପସ୍ଥିତ ସାମ୍ବାଦିକ ମାନେ ଆଲୋକପାତ କରିଥିଲେ । କଳାହାଣ୍ଡି ଜିଲ୍ଲାର ଚାଷୀ ସମସ୍ୟା ହେଉ କି ଲାଲ ବାହିନୀର ତାଣ୍ଡବ ଲୀଳା ହେଉ ସବୁଠାରେ ତାଙ୍କର ଥିଲା ଉପସ୍ଥିତି । ଏଣୁ ସ୍ବର୍ଗତ ମହମ୍ମଦ ଅସଲମଙ୍କ ବିୟୋଗ ଜିଲ୍ଲା ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ । ଏଥିସହ ମହମ୍ମଦ ଅସଲମ ଙ୍କ ପ୍ରଥମ ପୂଣ୍ୟତିଥି ଅବସରରେ କଳାହାଣ୍ଡିରେ ଗ୍ରାମାଞ୍ଚଳର ବିକାଶ ଧାରାରେ ଗଣମାଧ୍ୟମର ଭୂମିକାକୁ ନେଇ କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ଜିଲ୍ଲା ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।
ଇଟିଭି ଭାରତ, କଳାହାଣ୍ଡି