କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବିଜେପୁର ପଞ୍ଚୟତର ସିନ୍ଧିଭଟ୍ଟା ଓ ଥୁଆଙ୍ଗପଦର ଗାଁର ଗ୍ରାମବାସୀଙ୍କ ମଧ୍ୟରେ ଜଙ୍ଗଲ ଜମିକୁ ନେଇ ଗୋଷ୍ଠୀ ସଂଘର୍ଷ । ଫଳରେ ଉଭୟ ଗାଁର ୧୫ରୁ ଊର୍ଦ୍ଧ୍ବ ଗ୍ରାମବାସୀ ଗୁରୁତର ହୋଇ ଚିକିତ୍ସିତ ହେଉଥିବାବେଳେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଥୁଆଙ୍ଗପଦର ଗାଁ ଲୋକେ ।
ସୂଚନା ଅନୁଯାୟୀ ଦୀର୍ଘ ଦଶନ୍ଧି ଧରି ଥୁଆଙ୍ଗପଦର ଗ୍ରାମବାସୀ ଗାଁ ନିକଟରେ ଥିବା ଜଙ୍ଗଲରେ ଚାଷବାସ କରି ନିଜ ପରିବାର ପ୍ରତିପୋଷଣ କରିବା ସହ ଜମି ଜଙ୍ଗଲରେ ଗାଁର ଇଷ୍ଟଦେବୀଙ୍କୁ ପୂଜା କରି ଆସୁଛନ୍ତି । ଗତ ଦୁଇ ବର୍ଷ ହେବ ସିନ୍ଧିଭଟା ଗାଁ ଲୋକେ ସେହି ଜଙ୍ଗଲକୁ ନିଜ ଅକ୍ତିଆରକୁ ନେବାକୁ ନେଇ ଉଭୟ ଗାଁ ମଧ୍ୟରେ ବଚସା ଲାଗି ରହିଥିଲା । ଏହାକୁ ନେଇ କିଛି ଦିନ ତଳେ ସ୍ଥାନୀୟ ପୋଲିସ ଓ ବ୍ଲକ ପ୍ରଶାସନ ଉଭୟ ଗାଁଙ୍କୁ ନେଇ ଶାନ୍ତି କମିଟି କରି ଜଙ୍ଗଲ ଜମିରେ ଚାଷ ନକରିବାକୁ ନେଇ ନିର୍ଦ୍ଦେଶ ଦେଇଥିଲେ ।
କିନ୍ତୁ ଏହାକୁ ନମାନି ଉଭୟ ଗାଁ ଲୋକେ ଚାଷ କାମ କରିବାରୁ ଏହି ସଂଘର୍ଷ ହୋଇଥିଲା । ଏହାକୁ ନେଇ ଆଜି ଜିଲ୍ଲାପାଳଙ୍କ ଦ୍ୱାରାସ୍ଥ ହୋଇଛନ୍ତି ଥୁଆଙ୍ଗପଦର ଗ୍ରାମବାସୀ । ଦୀର୍ଘ ଦିନରୁ ଚାଷ କରି ଆସୁଥିବା ଜଙ୍ଗଲ ଜମିକୁ ଜିଲ୍ଲା ପ୍ରଶାସନ ଥୁଆଙ୍ଗପଦର ଗ୍ରାମବାସୀଙ୍କୁ ହସ୍ତାନ୍ତର କରିବା ପାଇଁ ଦାବି କରିଛନ୍ତି ।
ଇଟିଭି ଭାରତ, କଳାହାଣ୍ଡି