ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁଅମୂଳ ରାମପୁର ବ୍ଲକ ଅନ୍ତର୍ଗତ ମାଳିଗାଁ ଅଞ୍ଚଳରେ ଶିକ୍ଷକଙ୍କ ଗୁଣ୍ଡାଗିରି ଘଟଣା । ଅଭିଯୋଗ ପରେ ଆକ୍ସନ ମୋଡରେ ପୋଲିସ । ନବରଙ୍ଗପୁର ଜିଲ୍ଲା ଖାତିଗୁଡାରେ ଥିବା ତାଙ୍କ ବାସଭବନରୁ ଶିକ୍ଷକ ଅରୁଣ ନାଏକଙ୍କୁ ଗିରଫ କରିଛି ପୋଲିସ । ଅଭିଯୋଗ ଅନୁଯାୟୀ, ମାଳିଗାଁ ପଞ୍ଚାୟତର କେ ଚେପଟାଘାଟ ପ୍ରାଥମିକ ସ୍କୁଲର ଶିକ୍ଷକ ଅରୁଣ ନାଏକଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଇଥିଲା। ତାଙ୍କ ନାଁ ଶୁଣିଲେ ଗ୍ରାମବାସୀଙ୍କ ମନରେ ଏକ ଅଜଣା ଭୟ ସୃଷ୍ଟି ହୋଇ ଆସୁଥିଲା ।
ଦୀର୍ଘବର୍ଷ ଧରି କିଛି ଅସାମାଜିକ ତତ୍ତ୍ୱଙ୍କ ସହ ମିଶି ଉକ୍ତ ଶିକ୍ଷକ ଗୁଣ୍ଡାରାଜ ଚଳାଇ ଆସୁଥିଲେ । ସବୁବେଳେ ନିରୀହ ଗ୍ରାମବାସୀଙ୍କ ଉପରେ ଅତ୍ୟାଚାର କରିବା ସହ ମରଣାନ୍ତକ ମାଡ଼ ମାରୁଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଅଞ୍ଚଳବାସୀ ବାରମ୍ବାର ଜିଲ୍ଲା ଶିକ୍ଷା ବିଭାଗ ନିକଟରେ ଅଭିଯୋଗ କଲାପରେ ମଧ୍ୟ ଶିକ୍ଷା ବିଭାଗ ନିଦାବିଷ୍ଣୁ ପାଲଟିଥିବା ଅଭିଯୋଗ ହୋଇଥିଲା । ବାରମ୍ବାର ଅଞ୍ଚଳ ବାସୀଙ୍କ ଉପରେ ଆକ୍ରମଣ କରୁବାରୁ ଲୋକେ ସମ୍ପୃକ୍ତ ଶିକ୍ଷକ ଅରୁଣ ନାଏକଙ୍କ ନାଁରେ ଥୁଆମୁଳ ରାମପୁର ଥାନାରେ ଗ୍ରାମବାସୀ ଅଭିଯୋଗ କରିଥିଲେ । ହେଲେ ପୋଲିସ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯିବାରୁ ଶୁକ୍ରବାର ଏସପି ଓ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ଅଞ୍ଚଳବାସୀ। । କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିଲେ ଗାଁ ଛାଡିବାକୁ ବାଦ୍ୟ ହେବେ ବୋଲି ଜଣାଇଥିଲେ । ଏହାପରେ ଆକ୍ସନ ମୋଡକୁ ଆସିଥିଲା ପୋଲିସ ।
ଏହା ମଧ୍ୟ ପଢନ୍ତୁ: ଶିକ୍ଷକଙ୍କ ଗୁଣ୍ଡାଗିରି, ଏସପିଙ୍କୁ ଭେଟିଲେ ପଞ୍ଚାୟତବାସୀ
ଏହାକୁ ଗୁରୁତ୍ଵ ସହ ନେଇ ଜିଲ୍ଲାପାଳ ଓ ଏସ୍ପି ସଂପୃକ୍ତ ଶିକ୍ଷକକୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ଅନୁସାରେ ଜୟପାଟଣା ଓ ଥୁଆମୁଳ ରାମପୁର ପୋଲିସ ଶିକ୍ଷକ ଅରୁଣ ନାଏକଙ୍କୁ ନବରଙ୍ଗପୁର ଜିଲ୍ଲା ଖାତିଗୁଡାରେ ଥିବା ତାଙ୍କ ବାସଭବନରୁ ଗିରଫ କରିଛି ପୋଲିସ । ଶିକ୍ଷକଙ୍କୁ ଗିରଫ କରି ଜୟପାଟଣା ଥାନାରେ ରଖି ଅଧିକ ପଚରାଉଚୁରା ପରେ କୋର୍ଟଚାଲାଣ କରିଥିଲା ପୋଲିସ। ସେଠାରେ ଶିକ୍ଷକ ଅରୁଣ ନାଏକଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତ ପଠାଇ ଦିଆଯାଇଥିବା ନେଇ ପୋଲିସ ସୂଚନା ଦେଇଛି।
ଇଟିଭି ଭାରତ, କଳାହାଣ୍ଡି