ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଶୋଷିଆ ଗାଁରେ ଗୋରୁ ଗାଈଙ୍କୁ ଅଜଣା ରୋଗ । ଏହି ଅଜଣା ରୋଗରେ ଆକ୍ରାନ୍ତ ହୋଇ ଗାଈ ବଳଦ ବାଛୁରୀ ମୃତ୍ୟୁବରଣ କରୁଥିବା ଅଭିଯୋଗ ହୋଇଥିଲା । ଏନେଇ ଗାଁରେ ପହଞ୍ଚିଲା ପ୍ରାଣୀ ଚିକିତ୍ସା ବିଭାର ସ୍ବତନ୍ତ୍ର ଟିମ । ସୂଚନା ଅନୁଯାୟୀ, ଗତ କିଛି ଦିନ ହେଲା ଏହି ଅଜଣା ରୋଗ ବଢ଼ି ଚାଲିଛି । ପ୍ରଥମେ ଗୋଟିଏ ଦୁଇଟି ଗାଈଙ୍କ ପାଖରେ ଏହା ଦେଖିବାକୁ ମିଳିଥିଲା । ହେଲେ ତାହା ଦିନକୁ ଦିନ ବଢ଼ି ଏବେ ଗାଁର ଶତାଧିକ ଗୋରୁ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏହି ରୋଗ ଦିନକୁ ଦିନ ବଢ଼ି ଚାଲିଥିବାରୁ ଗାଈମାନେ ମୃତ୍ୟୁ ବରଣ କରୁଛନ୍ତି।
ବର୍ତ୍ତମାନ ସୁଦ୍ଧା ଗାଁରେ ୪ ଟି ଗୋରୁଙ୍କ ମୃତ୍ୟୁ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହି ଅଜଣା ରୋଗ ଡିଆଁ ରୋଗ ଭଳି ବ୍ୟାପୁଥିବାରୁ ଗାଈ ମାଲିକମାନେ ଏବେ ଚିନ୍ତିତ । ଖବର ପାଇ ଗାଁରେ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗର ଏକ ସ୍ବତନ୍ତ୍ର ଟିମ ପହଞ୍ଚି ଗୋରୁଙ୍କ ରକ୍ତ ନମୁନା ସଂଗ୍ରହ କରିଥିବା ବେଳେ ଏହା ଏକ ଭୂତାଣୁ ଜନିତ ରୋଗ । ଏବଂ ଏହା ଅନ୍ୟ ଗୋରୁମାନଙ୍କୁ ମଧ୍ୟ ସଂକ୍ରମଣ କରିବାର ସମ୍ଭାବନା ଥିବାରୁ ଲୋକଙ୍କୁ ଏନେଇ ସଚେତନ କରାଯାଇଥିବା ଜଣାପଡ଼ିଛି।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ