ଭବାନୀପାଟଣା: ଲଗାଣ ବର୍ଷାରେ ଦବିଲା ନିର୍ମାଣଧିନ ବିଜୁ ସେତୁ । କଳାହାଣ୍ଡି କଲମପୁର ବ୍ଲକ ଅହାତୀ ନଦୀ ଟେମରା ଘାଟଠାରେ ଥିବା ନିର୍ମାଣଧିନ ପୋଲ ୩ ଫୁଟ ତଳକୁ ଦବି ଯାଇଛି । ଗତ ୨୦୧୬-୧୭ ମସିହାରେ ପ୍ରାୟ ୮ କୋଟି ଟଙ୍କା ବ୍ୟୟ ଅଟକଳରେ ବିଜୁ ସେତୁ ଯୋଜନାରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଇଥିଲା ।
କିନ୍ତୁ ନିର୍ମାଣ ଅବଧି ଶେଷ ହେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜାରି ରହିଛି କାମ । କାମ ନସରୁଣୁ ଲଗାଣ ପୋଲଟି ଦବିଯିବାରୁ ସ୍ଥାୟିତ୍ବକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ପୋଲ ନିର୍ମାଣ ଦ୍ବାରା କଲମପୁର ବ୍ଲକର ବନ୍ଧକନା ସମେତ ହରାମାଲ ପଞ୍ଚାୟତର ଲୋକେ ଜୟପାଟଣା ବ୍ଲକ ଓ କେକେସରା ବ୍ଲକକୁ ସିଧା ସଳଖ ଯୋଗାଯୋଗର ସୁବିଧା ପାଇ ପାରିବେ ।
କିନ୍ତୁ ନିର୍ମାଣ ନସୁରୁଣୁ ପୋଲର ଏକ ସ୍ଲାବ ଦବିଯିବା ପରେ ନିମ୍ନମାନର କାର୍ଯ୍ୟ ନେଇ ସନ୍ଦେହ ସୃଷ୍ଟି ହେଉଛି । ସେପଟେ ଘଟଣାସ୍ଥଳ ପରିଦର୍ଶନ କରି ପୋଲର ସ୍ଥାୟୀତ୍ୱକୁ ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି ଧର୍ମଗଡ଼ ବିଧାୟକ ମୌଷଧି ବାଗ ।