ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଟାଉନ ହଲଠାରେ ଭାରତୀୟ ଜନତା ପାର୍ଟି ମହାସମ୍ପର୍କ ଅଭିଯାନ ଓ କାର୍ଯ୍ୟକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୋଦି ସରକାରଙ୍କ ୯ ବର୍ଷ ବିକାଶର ହିସାବ ଜନସାଧାରଣଙ୍କ ସମ୍ମୁଖରେ ରଖିଛି ଭାରତୀୟ ଜନତା ପାର୍ଟି । ୯ ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଚାଲିଥିବା କେନ୍ଦ୍ର ବିଜେପି ସରକାର ଦେଶର ବିକାଶ ପାଇଁ ନେଇଥିବା ପଦକ୍ଷେପ ସହ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ହୋଇଥିବା ବିକାଶର ଚିଠା ଜନ ସାଧାରଣଙ୍କ ଆଗରେ ବିଜେପି ରଖିଛି ।
କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠରେ ମୁଖ୍ୟ ଅତିଥି ଭାବରେ ମହାସମ୍ପର୍କ ଅଭିଯାନର ରାଜ୍ୟ ପ୍ରଭାରୀ ତଥା ଛତିଶଗଡ଼ ପୂର୍ବତନ ବିରୋଧୀଦଳ ନେତା ଧରମଲାଲ କୌଶିକ, ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ସୋନପୁର ପ୍ରଭାରୀ ଭବେନ୍ଦ୍ର ପଣ୍ଡା, ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ, ପ୍ରମୁଖ ଯୋଗ ଦେଇଥିଲେ । ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶାରେ ହୋଇଥିବା ବିକାଶ ଓ ଜନହିତକର ଯୋଜନାଗୁଡିକ ସମ୍ପର୍କରେ ରାଜ୍ୟ ପ୍ରଭାରୀ କୌଶିକ ଜନସାଧାରଣଙ୍କ ଆଗରେ ରଖିଛନ୍ତି । ଏହି ଯୋଜନାଗୁଡିକ ସମ୍ପର୍କରେ ତୃଣମୂଳ ସ୍ତରରେ ଥିବା ଲୋକଙ୍କ ନିକଟକୁ ପହଞ୍ଚାଇବା ସହ ସଙ୍ଗଠନକୁ ମଜଭୁତ କରିବା ପାଇଁ ଉପସ୍ଥିତ ଦଳୀୟ କର୍ମୀ ଓ ଜନ ସାଧାରଣଙ୍କୁ ଆହ୍ବାନ ଦେଇଥିଲେ । ପରେ କୌଶିକ ଶହୀଦ ରେଣ୍ଡୋ ମାଝୀ ମେଡ଼ିକାଲ କଲେଜ ପରିଦର୍ଶନରେ ଯାଇ ମେଡ଼ିକାଲ ନିର୍ମାଣ କାର୍ଯ୍ୟଗୁଡିକର ତଦାରଖ କରିଥିଲେ । ମେଡ଼ିକାଲ କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । କେନ୍ଦ୍ର ସରକାରଙ୍କ ୭୦ ପ୍ରତିଶତ ଅନୁଦାନରେ ଏହି ମେଡିକାଲ କଲେଜ ହେଉଥବା ନେଇ କହିଥିଲେ ।
ସେଠାରୁ ଆସି ବୃଦ୍ଧିଜୀବୀ ସମ୍ମିଳନୀ ଓ ବଣିକ ସଂଘର କର୍ମକର୍ତ୍ତା ମାନଙ୍କ ସହ ଆଲୋଚନା କରିଥଲେ । ରେଳ ମରାମତି କାରଖାନା ନେଇ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା କହିଥିଲେ,"ନର୍ଲା ଠାରେ ହେବାକୁ ଥିବା ରେଳ ମରାମତି କାରଖାନା ପାଇଁ ରାଜ୍ୟ ସରକାର ୭୦ ପ୍ରତିଶତ ଜମି ପ୍ରଦାନ କରିଥିବା ବେଳେ ଆହୁରି ଜମି ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ରେଳ ବିଭାଗକୁ ପ୍ରଦାନ କରି ନାହାନ୍ତି । ଯାହା ଫଳରେ ରେଳ ମରାମତି କାରଖାନା ନିର୍ମାଣ ହେବାରେ ବିଳମ୍ବ ହେଉଛି । ତେବେ ଏହାର କାମ ଖୁବ ଶୀଘ୍ର ଆରମ୍ଭ ହେବ ।" ଏହାସହ କେସିଙ୍ଗାଠାରୁ ଭବାନୀପାଟଣା ରେଳ ଲାଇନ ସମ୍ପ୍ରସାରଣ ପାଇଁ ସର୍ଭେ କାମ ଆରମ୍ଭ ହେବ ବୋଲି କହିଛନ୍ତି ସାଂସଦ ବସନ୍ତ ପଣ୍ଡା । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ମଣ୍ଡଳ ସଭାପତି ଓ ସମସ୍ତ ବ୍ଲକରୁ ଶତାଧିକ ବିଜେପି କର୍ମୀ ସାମିଲ ହୋଇଥିଲେ ।
ଇଟିଭି ଭାରତ, କଳାହାଣ୍ଡି