ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ବିଜେଡିକୁ ଲାଗିଲା ଆଉ ଏକ ଝଟକା । ଜିଲ୍ଲା ପରିଷଦ ପଦରୁ ଇସ୍ତଫା ଦେଲେ ଭବାନୀପାଟଣା ସଦର ବ୍ଲକ୍ ଜୋନ୍-୪ ର ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀ ସାହୁ। କଳାହାଣ୍ଡି ଜିଲ୍ଲାପାଳ ଏବଂ ବିଡିଓଙ୍କୁ ଭେଟି ଇସ୍ତଫାପତ୍ର ଦେଇଛନ୍ତି ଲକ୍ଷ୍ମୀ ।
ସୂଚନାଅନୁସାରେ, କଳାହାଣ୍ଡି ଜିଲ୍ଲା ପରିଷଦ ଉପସଭାପତି ଭାବେ ଜୁନାଗଡ଼ ବ୍ଲକ୍ ଜୋନ୍-୧ର ପ୍ରାର୍ଥିନୀ ସୁଧୀରା ମେହେର ଶୁକ୍ରବାର ନିର୍ବାଚିତ ହୋଇଥିଲେ । ଏହାପରେ ଭବାନୀପାଟଣା ସଦର ବ୍ଲକ୍ ଜୋନ୍-୪ର ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀ ସାହୁ ତୀବ୍ର ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଛନ୍ତି ।
ଇସ୍ତଫା ଦେବା ସମୟରେ ଜିଲ୍ଲାପାଳ ବହୁତ ବୁଝାସୁଝା କରିଥିଲେ ହେଁ ଲକ୍ଷ୍ମୀ ନିଜ ଜିଦରେ ଅଟଳ ରହିଥିଲେ ।ଏ ନେଇ ଜିଲ୍ଲାପାଳ ପରବର୍ତ୍ତୀ ପଦକ୍ଷେପ ପାଇଁ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି । ଇସ୍ତଫା ଦେବାପରେ ଲକ୍ଷ୍ମୀ କହିଛନ୍ତି ଯେ, ସେ ବ୍ୟକ୍ତିଗତ କାରଣ ଯୋଗୁଁ ଇସ୍ତଫା ଦେଇଛନ୍ତି । ଏହା ସହ ବିଜେଡି ଦଳରେ ରହିି ମୁଖ୍ୟମନ୍ତ୍ରୀଙ୍କ ସହିତ ଅଛନ୍ତି ବୋଲି କହିଛନ୍ତି ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀ ସାହୁ ।
ବର୍ତ୍ତମାନ ଭବାନୀପାଟଣା ଉପଖଣ୍ଡରେ ବିଜେଡିର ଗୋଷ୍ଠୀକନ୍ଦଳ ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଆଗକୁ ଏହି ଫାଟ କେଉଁ ରୂପ ନେବ ତାହା ସାଧାରଣରେ ଚର୍ଚ୍ଚାର ଖୋରାକ ଯୋଗାଇଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ