ଭବାନୀପାଟଣା: କଳାହାଣ୍ଡିରେ ଶିକ୍ଷକଙ୍କ ଦରମା ହଡ଼ପ ମାମଲା । ଭବାନୀପାଟଣା ବ୍ଲକର ୧୭୧ ଜଣ ଏକ୍ସ କେଡ଼ର ଶିକ୍ଷକ ଗୋଟିଏ ମାସର ଦରମାକୁ ଜାଲିଆତି କରି ଆକାଉଣ୍ଟାଣ୍ଟ ସୂଚୀସ୍ମିତା ସୁଆର ଫେରାର ହେବା ଘଟଣାରେ ଆକ୍ସନ ମୋଡରେ ଜିଲ୍ଲା ଶିକ୍ଷା ବିଭାଗ । ଏକ୍ସ କେଡ଼ର ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ ଆରମ୍ଭ କରିଛି ଜିଲ୍ଲା ଶିକ୍ଷା ବିଭାଗ । ଘଟଣାକୁ ନେଇ ନିଜପଟୁ ମାମଲା ରୁଜ୍ଜୁ କରି ଅବସର ପ୍ରାପ୍ତ ତତ୍କାଳୀନ ବିଇଓ ଜଗନ୍ନାଥ ପୁରୋହିତ, କାର୍ଯ୍ୟରତ ବିଇଓ ଠାକୁର ଚନ୍ଦ୍ର ସାହୁ, ବିଆରସି ଜୟକୁମାର ମାଝୀଙ୍କୁ ଜେରା କରିଛି ଭିଜିଲାନ୍ସ ବିଭାଗ ।
ସେପଟେ ଜଣେ ମାଜିଷ୍ଟ୍ରେଟ ଓ ଭିଜିଲାନ୍ସ ବିଭାଗ ସମେତ ବିଇଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ସୂଚୀସ୍ମିତାଙ୍କ ଚାମ୍ବରରେ ଥିବା ଦୁଇଟି ଆଲମିରାକୁ ଖୋଲିଛି ଶିକ୍ଷା ବିଭାଗ । ଆଲମିରାରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ରହିଥିବା ବେଳେ ପ୍ରତ୍ୟେକଟି ଦସ୍ତାବିଜକୁ ଶିକ୍ଷା ବିଭାଗ ଦ୍ବାରା ଯାଞ୍ଚ କରାଯାଉଛି । ସେପଟେ ଆଲମିରାରେ ଅନେକ ବ୍ୟାଙ୍କ ସମ୍ପର୍କିତ କାଗଜପତ୍ର ରହିଥିବା ବେଳେ ବିଭିନ୍ନ ସମୟରେ ସରକାରୀ ଆକାଉଣ୍ଟରୁ ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ଟ୍ରାନ୍ସଫର କରିଥିବାର କାଗଜପତ୍ର ମଧ୍ୟ ଆଲମିରାରୁ ମିଳିଥିବା ଜଣାପଡିଛି । ସେପଟେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଆକାଉଣ୍ଟାଣ୍ଟ ସୂଚୀସ୍ମିତା ସୁଆରଙ୍କ ବିରୋଧରେ ଭବାନୀପାଟଣା ଟାଉନ ଥାନାରେ ଅଭିଯୋଗର ୩ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ସୂଚୀସ୍ମିତାକୁ ଧରିବାରେ ବିଫଳ ରହିଛି । ଯାହାକୁ ନେଇ ଏବେ ଅନିଶ୍ଚିତତା ମଧ୍ୟରେ ୧୭୧ ଜଣ ଏକ୍ସ କେଡ଼ର ଶିକ୍ଷକ । ସୂଚୀସ୍ମିତା ଗିରଫ ହେଲେ ହିଁ ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି ।
ଏହା ମଧ୍ୟ ପଢନ୍ତୁ: କଳାହାଣ୍ଡିରେ ଶିକ୍ଷକଙ୍କ ଦରମା ହଡ଼ପ, ମହିଳା ଆକାଉଣ୍ଟାଣ୍ଟଙ୍କ ବିରୋଧରେ ଅଭିଯୋଗ
ଏନେଇ ବିଇଓ ଭବାନୀପାଟଣା ଠାକୁର ଚନ୍ଦ୍ର ସାହୁ କହିଛନ୍ତି ଯେ, "ଆଜି ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ଫେରାର ରହିଥିବା ସୂଚୀସ୍ମିତା ସୁଆରଙ୍କ ଦୁଇଟି ଆଲମିରା ଖୋଲାଯାଇଛି । ସେଥିରୁ ବ୍ୟାଙ୍କ ସମ୍ପର୍କିତ କାଗଜପତ୍ର ଜବତ କରାଯାଇଛି । ସର୍ଭିସ ବୁକ ସହ ଅନାନ୍ୟ କାଗଜପତ୍ର ସବୁ ଜବତ କରାଯାଇଛି । ବିଭିନ୍ନ ସମୟରେ ସରକାରୀ ଆକାଉଣ୍ଟରୁ ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ଟ୍ରାନ୍ସଫର କରାଯାଇଥିବା ଜଣାପଡିଛି । ପୋଲିସ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି । ଖୁବଶୀଘ୍ର ସୂଚୀସ୍ମିତା ସୁଆରଙ୍କୁ ଗିରଫ କରାଯିବ ।"
ଏହା ମଧ୍ୟ ପଢନ୍ତୁ: ଶିକ୍ଷକଙ୍କ ଦରମା ହଡ଼ପ ଘଟଣା, ଭିଜିଲାନ୍ସର ତଦନ୍ତ ଜାରି
ସୂଚନାଯୋଗ୍ୟ ଯେ, ଭାବନୀପାଟଣା ବ୍ଲକରେ କାର୍ଯ୍ୟରତ ୧୭୧ ଜଣ ଏକ୍ସ କ୍ୟାଡ଼ର ଶିକ୍ଷକଙ୍କ ଅକ୍ଟୋବର ମାସର ଦରମା ଆସିବାରେ ବିଳମ୍ବ ହେବାରୁ ଶିକ୍ଷକ ମାନେ ଯାଇ ତୁରନ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲେ । ସେଠାରେ ଦରମା ବିଳମ୍ବ ହେବା ନେଇ ଅଭିଯୋଗ କରିବା ପରେ ଦରମା ପ୍ରଦାନ ଦାୟିତ୍ବରେ ଥିବା ଆକାଉଣ୍ଟାଣ୍ଟ ସୂଚୀସ୍ମିତା ସୁଆର ଦରମା ଟଙ୍କା ବ୍ୟାଙ୍କରେ ଡିପୋଜିଟ କରାଯାଇଥିବା କହିବା ପରେ ଶିକ୍ଷକ ମାନେ ବ୍ୟାଙ୍କକୁ ଯାଇ ସେଠାରେ ଦରମାର ଯାଞ୍ଚ କରିଥିଲେ । ମାତ୍ର ୪୮ ଜଣ ଶିକ୍ଷକଙ୍କ ଦରମା ବ୍ୟାଙ୍କରେ ଜମା ହୋଇଥିବା ବେଳେ ଅନ୍ୟ ଶିକ୍ଷକଙ୍କ ଦରମା ଜମା ହୋଇନଥିବା ନେଇ ବ୍ୟାଙ୍କ ସୂତ୍ରରୁ ଜଣାପଡିଥିଲା ।
ମହିଳା ଆକାଉଣ୍ଟାଣ୍ଟ ସୂଚୀସ୍ମିତା ସୁଆର ଏକ୍ସ କ୍ୟାଡର ଶିକ୍ଷକଙ୍କ ସେପ୍ଟେମ୍ବର ମାସର ଦରମା ଓ ଅନ୍ୟାନ୍ୟ ବାବଦକୁ ଥିବା ୩୯ ଲକ୍ଷ ୩୦ ହଜାର ୪୬୮ ଟଙ୍କା ଅଫିସ ଏସ୍ବିଆଇ ଆକାଉଣ୍ଟରୁ ନିଜ ବ୍ୟକ୍ତିଗତ ଏସବିଆଇ ଆକାଉଣ୍ଟ ନଂ.୧୧୦୮୩୬୨୫୮୫୫କୁ ଟ୍ରାନ୍ସଫର କରିଥିଲେ । ସୂଚୀସ୍ମିତାଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ୨୦୨୨ ଜୁନ ୪ ତାରିଖରେ ୩ଲକ୍ଷ ୪୮ ହଜାର ଟଙ୍କା, ଜୁନ ୮ ତାରିଖରେ ୨ ଲକ୍ଷ ୧୩ ହଜାର ୪୨୬ ଟଙ୍କା, ଜୁନ ୨୮ରେ ୨ଲକ୍ଷ ୨୪ ହଜାର ୫୬୭ ଟଙ୍କା, ଜୁଲାଇ ୮ ତାରିଖରେ ୩ ଲକ୍ଷ ୮୬ ହଜାର ୮୮୦ ଟଙ୍କା, ଜୁଲାଇ ୨୦ ତାରିଖରେ ୩ ଲକ୍ଷ ୪୮ ହଜାର ଟଙ୍କା ଭଳି ସେପ୍ଟେମ୍ବର ପର୍ଯ୍ୟନ୍ତ ଟଙ୍କା ଟ୍ରାନ୍ସଫର ହୋଇଛି । ସମୁଦାୟ ୩୯ ଲକ୍ଷ ୩୦ ହଜାର ୪୬୮ ଟଙ୍କା ଟ୍ରାନ୍ସଫର ହୋଇଥିବା ଜଣାପଡିଛି । ଏନେଇ ବ୍ଲକ ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ ପକ୍ଷରୁ ଅଭିଯୋଗ କରାଯିବା ପରେ ଜିଲ୍ଲାପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ତେବେ ତଦନ୍ତ ଆରମ୍ଭରୁ ହିଁ ଆକାଉଣ୍ଟାଣ୍ଟ ସୂଚୀସ୍ମିତା ସୁଆର କେଉଁଆଡେ ଫେରାର ମାରିଥିଲେ ।
ଇଟିଭି ଭାରତ, କଳାହାଣ୍ଡି