ଭବାନୀପାଟଣା : ପୁଣି ଥରେ ସାମ୍ନାକୁ ଆସିଲା ଦାଦନ ନିର୍ଯାତନାର ଅଭିଯୋଗ । ଦଲାଲଙ୍କ ପ୍ରଲୋଭନର ଶିକାର ହୋଇ ବନ୍ଦି ଥିଲେ ଗୋଟିଏ ଗାଁର ୪ଜଣ ସଦସ୍ୟ । ଜିଲ୍ଲା ପ୍ରଶାସନର ସହଯୋଗରେ ମୁକ୍ତ ହେଲେ ୪ ଦାଦନ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚାରଭାଟି ଗାଁରୁ ଏଭଳି ଅଭିଯୋଗ ଆସିଛି ।
ସୂଚନାନୁସାରେ ଚାରଭାଟି ଗାଁର ଦେବରାଜ ମାଝୀ, ପ୍ରଭାତ ମାଝୀ, ସାରଙ୍ଗ ନାଏକ, ପ୍ରଭାତ ନାଏକ ମିଶି ଇଟାଭାଟିରେ କାମ କରିବା ପାଇଁ ହାଇଦ୍ରାବାଦ ଯାଇଥିଲେ । ନୂଆପଡା ଜିଲ୍ଲାର ଦାଦନ ସର୍ଦ୍ଦାର ସହ ଯୋଗାଯୋଗ କରି ଗତ କିଛିଦିନ ତଳେ ହାଇଦ୍ରାବାଦର ଆରପ୍ପାଲି ଅଞ୍ଚଳକୁ କାମ କରିବା ପାଇଁ ଯାଇଥିଲେ ।
ସେଠାରେ ଦାଦନ ଦଲାଲ ସେମାନଙ୍କୁ ୪୫ ହଜାର ଟଙ୍କାରେ ଇଟା ଭାଟି ମାଲିକଙ୍କ ନିକଟରେ ବନ୍ଧକ ରଖି ଟଙ୍କା ନେଇ ଚମ୍ପଟ ମାରିଥିଲା । ଶ୍ରମିକମାନେ ଏହା ଜାଣିବାପରେ କାମ କରିବାକୁ ମନାକରିଥିଲେ । ଏହାପରେ ଇଟାଭାଟି ମାଲିକ ସେମାନଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ । ନିର୍ଧୁମ ମାଡ଼ ମାରିବାସହ ଏକ କୋଠରୀ ଭିତରେ ସେମାନଙ୍କୁ ବନ୍ଦି କରି ରଖା ଯାଇଛି ।
ଏନେଇ ଶ୍ରମିକମାନେ ଏକ ଭିଡିଓ ମାଧ୍ୟମରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ନିବେଦନ କରିଥିଲେ । ଭିଡିଓଟି ବେଶ ଭାଇରାଲ ହୋଇଥିଲା । ଏହି ଘଟଣାକୁ ନେଇ ସମାଜସେବୀ ଶ୍ୟାମସୁନ୍ଦର ମାଝୀ, ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ସହ ଆଲୋଚନା କରିଥିଲେ ।
ପରେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ଉଦ୍ଧାର କରିବା ପାଇଁ ହାଇଦ୍ରାବାଦ ଯାଇଥିଲେ । ସେଠାରୁ ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ଜିଲ୍ଲା ପ୍ରଶାସନ ଉଦ୍ଧାର କରିଥିବା ଜଣାପଡ଼ିଛି । ତେବେ ଆସନ୍ତାକାଲି ସେମାନଙ୍କୁ ନେଇ ଜିଲ୍ଲା ଶ୍ରମ ବିଭାଗ ଟିମ୍ କଳାହାଣ୍ଡି ଜିଲ୍ଲାରେ ପହଞ୍ଚିବ ବୋଲି ସୂଚନା ମିଳିଛି । ଦାଦନ ପ୍ରଥାକୁ ରୋକିବା ନେଇ ସରକାରୀ କାହିଁରେ କେତେ ଯୋଜନା କରୁଛନ୍ତି ।
ହେଲେ ଯୋଜନା ତୃଣମୂଳସ୍ତରରେ କାର୍ଯ୍ୟକାରୀ ନହେବାରୁ ଦିନକୁ ଦିନ ବୃଦ୍ଧି ପାଉଛି ଦାଦନ ସମସ୍ୟା । କାମଧନ୍ଦା ଅଭାବରୁ ଟଙ୍କା ରୋଜଗାର ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ଲୋକେ । ହେଲେ ସେଠାରେ ଅନେକ ନିର୍ଯାତନାର ଶୀକାର ହେଉଥିବା ଅଭିଯୋଗ ହୋଇଛି । ତଥାପି ଏଥିପ୍ରତି ସରକାରଙ୍କର ନିଘା ନାହିଁ । ଯଦି ରାଜ୍ୟରେ ଶ୍ରମିକଙ୍କ ପାଇଁ ରୋଜଗାର ଥାଆନ୍ତା ତାହାଲେ ଆଜି ଶ୍ରମିକମାନେ ବାହାରକୁ ଖଟିବାକୁ ଯାଆନ୍ତେ ନାହିଁ ।
ଏହାମଧ୍ୟ ପଢ଼ନ୍ତୁ. ଥମୁନି ଦାଦନ ଦୁଃଖ, ଟଙ୍କା ପାଇଁ ହାଇଦ୍ରାବାଦରେ ବନ୍ଧା ପଡିଛି ପରିବାର
ନିକଟରେ କଳାହାଣ୍ଡିରୁ ଜଣେ ଯୁବକ ମଧ୍ୟ କାମ କରିବାକୁ ଯାଇ ସିକନ୍ଦରାବାଦରେ ତାଙ୍କର ମୃତ୍ୟୁ ହୋଇଥିଲା । ଦାଦନ ପ୍ରଥା ରୋକିବା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । କିନ୍ତୁ ଏହି ଯୋଜନାର ସଠିକ ରୂପାୟନ ନହେବା ଯୋଗୁଁ ଆଜି ମଧ୍ୟ ହଜାରହଜାର ଲୋକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ତେବେ ସେଠାରୁ କେହି ମୃତ ହୋଇ ଫେରୁଛି ତ ଆଉ କିଏ ବିକଳାଙ୍ଗ ହୋଇ ଫେରୁଥିବା ନଜୀର ରହିଛି ।
ଇଟିଭି ଭାରତ, କଳାହାଣ୍ଡି