ଭବାନୀପାଟଣା: ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସିଛନ୍ତି ୫T ସଚିବ ଭି.କେ ପାଣ୍ଡିଆନ । ଗସ୍ତର ଦ୍ୱିତୀୟ ଦିନରେ ଜିଲ୍ଲାର ଭଟାଙ୍ଗ ପଦର ଇକୋ କଟେଜ ଏବଂ ଭବାନୀପାଟଣା ସହରରେ ଥିବା ପିପାଳ ନାଳ ପରିଦର୍ଶନ କରିଛନ୍ତି ୫T ସଚିବ । ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କ ଥୁଆମୂଳ ରାମପୁର ଠାରେ ଥିବା ମୂଳ ପୀଠ ପରିଦର୍ଶନ କରିବା ସହ ମନ୍ଦିର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହାସହ ସ୍ଥାନୀୟ କଲେଜ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି ।
୫T ସଚିବ ଭି.କେ ପାଣ୍ଡିଆନଙ୍କ କଳାହାଣ୍ଡି ଗସ୍ତର ଦ୍ୱିତୀୟ ଦିନରେ କଲମପୁର ଷ୍ଟାଡିୟମରେ ପହଞ୍ଚିଥିଲେ । ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଜୟପାଟଣା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଉଠା ଜଳସେଚନ ପ୍ରକଳ୍ପ ପରିଦର୍ଶନ କରି ବାମ ମୁଖ୍ୟ କେନାଲ ବୁଲି ଦେଖିଥିଲେ ୫T ସଚିବ । ପିପଳ ନଳା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ଏହାର ଉନ୍ନତି ପାଇଁ ସ୍ଥାନୀୟ ଲୋକ ଓ ବିଭାଗୀୟ ଇଞ୍ଜିନିୟରଙ୍କ ସହ ଆଲୋଚନା କରିଛି । ପିପଳ ନଳାର ଜଳସେଚନ କ୍ଷମତାର ବୃଦ୍ଧି ତଥା ଏଠାରେ ଏକ ପର୍ଯ୍ୟଟନ ବିକାଶ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାପରେ ଟିମ ଥୁଆମୁଳ-ରାମପୁର ଯାଇ ସେଠାରେ ସାଧାରଣ ଲୋକ ଓ ଛାତ୍ରଛାତ୍ରୀ ମାନଙ୍କ ସହିତ ୫T ସଚିବ ଆଲୋଚନା କରିଛନ୍ତି । ସେଠାରେ ଏକ ଯୁକ୍ତ-୩ ଡିଗ୍ରୀ କଲେଜ ସ୍ଥାପନ କରାଯିବ ବୋଲି ଘୋଷଣା କରିଛନ୍ତି । ଆଗାମୀ ୬ ମାସ ମଧ୍ୟରେ ଜିଲ୍ଲାର ପ୍ରତ୍ୟେକଟି ସ୍କୁଲ ଓ କଲେଜକୁ 5Tରେ ରୂପାନ୍ତରିତ କରାଯିବା ନେଇ ଭି.କେ ପାଣ୍ଡିଆନ ଘୋଷଣା କରିଛନ୍ତି ।
ଉକ୍ତ କେନାଲ ନିର୍ମାଣ ହେଲେ ଚାଷୀଙ୍କୁ ଦୁଇ ଫସଲି ଚାଷ ପାଇଁ ବେଶ ସହାୟକ ହେବ ବୋଲି ସେ ପ୍ରକାଶ କରିଛନ୍ତି । ତେବେ କ୍ଷେତ୍ର ପରିଦର୍ଶନ ବେଳେ ଲୋକଙ୍କ ସହ ସିଧାସଳଖ କଥା ହୋଇ ସେମାନଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ଏନେଇ କଲମପୁର ବାସିନ୍ଦା କହିଛନ୍ତି ଯେ, "କମଲପୁର ଅଞ୍ଚଳ ପ୍ରତି ମୁଖ୍ୟମନ୍ତ୍ରୀ ନିଶ୍ଚିତ ଭାବେ ଗୁରୁତ୍ବ ଦେବେ । ତାଙ୍କର ନିର୍ଦ୍ଦେଶରେ ଏଠାକାର ବିକାଶ ଘଟିବ । ୫T ସଚିବଙ୍କ ଗସ୍ତ ସମୟରେ ସେ ଜନସାଧାରଣଙ୍କ ସହ କଥା ହୋଇଛନ୍ତି । ବିଭିନ୍ନ ବିଷୟ ସମ୍ପର୍କରେ ଆଲୋଚନା କରିଛନ୍ତି । ଦୀର୍ଘ ଦିନ ଧରି ଲାଗିରହିଥିବା ସମସ୍ୟାକୁ ଆମେ ସଚିବଙ୍କୁ ଜଣାଉଲୁ । ସରକାର ଏଥି ପ୍ରତି ଧ୍ୟାନ ଦେବେ ବୋଲି ବିଶ୍ବାସ ଅଛି ।"
ଏହାପରେ ଆମ୍ବପାଣି ବୁଢାରଜା ମନ୍ଦିର ପରିଦର୍ଶନ କରିବା ସହ ପର୍ଯ୍ୟଟନ ସ୍ଥଳୀ ଡୋକରୀ ଚଞ୍ଝରା ଗୁଡ଼ହାଣ୍ଡି ବୁଲି ଦେଖିଛନ୍ତି । ଏହାର ବିକାଶ ନିମନ୍ତେ ଏକ ସ୍ୱତନ୍ତ୍ର ଡିପିଆର ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପରେ ମଙ୍ଗଳପୁର ବ୍ୟାରେଜରେ ଇନ୍ଦ୍ରାବତୀ ପାର୍କ ଓ ମ୍ୟୁଜିୟମ ପରିଦର୍ଶନ କରିଛନ୍ତି । ସେଠାରେ ମା' ଇନ୍ଦ୍ରାବତୀଙ୍କ ମନ୍ଦିରର ନିର୍ମାଣ କାର୍ଯ୍ୟ ମଧ୍ୟ ଦେଖିଛନ୍ତି । ମନ୍ଦିର ଓ ମ୍ୟୁଜିୟମ ପାଇଁ ଅତିରିକ୍ତ ୧୪ କୋଟି ଟଙ୍କା ଯୋଗାଇ ଦିଆଯିବ ବୋଲି ୫T ସଚିବ ସୂଚନା ଦେଇଛନ୍ତି । ଆମପାଣିରେ ପ୍ରସିଦ୍ଧ ବୁଢାରାଜା ମନ୍ଦିର ପରିଦର୍ଶନ କରି ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ 15 ଦିନ ମଧ୍ୟରେ ଡିପିଆର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଡୋକ୍ରିଚାଞ୍ଚରା ଓ ଗୁଡହାଣ୍ଡିରେ ସ୍ଥାନୀୟ ଲୋକ ଓ ବନ କମିଟି ସଦସ୍ୟଙ୍କ ସହ ଆଲୋଚନା କରି ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ପଦକ୍ଷେପ ନେବାକୁ ଡିଏଫଓଙ୍କୁ ପରାମର୍ଶ ଦେଇଛନ୍ତି ୫T ସଚିବ ଭି.କେ ପାଣ୍ଡିଆନ । ଗମ୍ଭାରୀଗୁଡାରେ ଯଶୋଦା ଅନନ୍ତ ଆଶ୍ରମ ପରିଦର୍ଶନ କରି ସେଠାରେ ଅନ୍ତେବାସୀଙ୍କ ସହ ଆଲୋଚନା କରି ଆଶ୍ରମର ଉନ୍ନତି ପାଇଁ ପଦକ୍ଷେପ ନେବାକୁ ସ୍ଥାନୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଏହାପରେ ଧର୍ମଗଡ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ, ପଞ୍ଚାୟତ କଲେଜ, କଲ୍ୟାଣ ମଣ୍ଡପ ଆଦି ପରିଦର୍ଶନ କରିଛନ୍ତି ।
ଇଟିଭି ଭାରତ, କଳାହାଣ୍ଡି