ଝାରସୁଗୁଡ଼ା: ପ୍ରେମୀ ଯୁଗଳଙ୍କ ବିଷପାନ କରି ଆତ୍ମହତ୍ୟା ଉଦ୍ୟମ । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣଙ୍କ ଜୀବନ ସଙ୍କଟାପନ୍ନ ରହିଛି । ପ୍ରେମିକର ମୃତ୍ୟୁ ହୋଇଥିବା ବେଳେ ଜିଲ୍ଲା ସଦର ଡାକ୍ତରଖାନାରେ ଜୀବନ ରକ୍ଷା ପାଇଁ ପ୍ରେମିକା ସଂଘର୍ଷରତ । ଘଟଣା ଘଟିଛି ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ମରାକୁଟା ଗ୍ରାମରେ ।
ଶୁକ୍ରବାର ସନ୍ଧ୍ୟାରେ ଏକ ବୁଦା ମୂଳେ ପ୍ରେମିକ ଗୋବର୍ଦ୍ଧନ ଓରାମାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ଏନେଇ ପୋଲିସକୁ ଖବର ଦିଆଯିବା ପରେ ଘଟଣାଟି ପ୍ରଚାରିତ ହୋଇଥିଲା । ମୃତକଙ୍କ ଘର ଲଖନପୁର ଥାନା ଅନ୍ତର୍ଗତ ଉବୁଡ଼ା ଗାଁରେ । ମୃତ ଯୁବକ ଜଣକ ମରାକୁଟା ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କରେ ଥିବା ବେଳେ ଗତ ମଙ୍ଗଳବାର ରାତ୍ରିରୁ ଦୁହେଁ ଘର ଛାଡ଼ି ଫେରାର ହୋଇଯାଇଥିଲେ । ମାତ୍ର ସେମାନେ ଦୂରକୁ ନ ଯାଇ ମରାକୁ ପାଖରେ ଏକ ବୁଦାଳିଆ ନିଛାଟିଆ ସ୍ଥାନରେ ରହି ଯାଇଥିଲେ । କୁଆଡ଼େ ଯିବେ, କ'ଣ କରିବେ ତାହା ସ୍ଥିର କରି ନ ପାରି ଉଭୟ ବିଷପାନ କରିଥିଲେ ।
ଦୀର୍ଘ ସମୟ ପରେ ବିଷର ପ୍ରତିକ୍ରିୟା ହେବାରୁ ସନ୍ଧ୍ୟାରେ ପ୍ରେମିକଙ୍କ ମୃତ୍ୟୁ ହୋଇଥିଲା । ଯୁବତୀ ଜଣକ ଆଉ ସହ୍ୟ କରି ନ ପାରି ଘରକୁ ଫୋନ କରି ଘଟଣା ସମ୍ପର୍କରେ କହିବାରୁ ପରିବାର ଲୋକେ ଉକ୍ତ ସ୍ଥାନରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କରିଥିଲେ । ଉଭୟଙ୍କ ପରିବାର ଲୋକେ ଏହି ପ୍ରେମ ସମ୍ପର୍କକୁ ସ୍ବୀକୃତି ନ ଦେବାର ଆଶଙ୍କାରେ ଏଭଳି ଚରମ ନିଷ୍ପତ୍ତି ନେଇଥିବା କୁହାଯାଇଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଯୁବତୀଙ୍କ ଜମାନବନ୍ଦୀ ରେକର୍ଡ କରାଯାଇଛି । ଘଟଣାଟି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ