ଝାରସୁଗୁଡା: ଲଖନପୁର ବ୍ଲକ ଅଧୀନ ସରଣ୍ଡାମାଲ ଗ୍ରାମ ପଞ୍ଚାୟତର ନୂଆଁ ଛର୍ଲା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏ ହେଉଛି ସାଙ୍ଘାତିକ ଚିତ୍ର । ଜରାଜୀର୍ଣ୍ଣ ଅବସ୍ଥାରେ ବିଦ୍ୟାଳୟ । ଛାତ ଫାଟି ଆଁ କରିଛି । ଏହି ବିପଦସଙ୍କୁଳ ଶେଣ୍ରୀ ଗୃହରେ ପିଲାମାନେ ପାଠ ପଢୁଛନ୍ତି । ସିମେଣ୍ଟ ଛାଡି ଲୁହା ରଡ ଦେଖାଯାଉଥିବାରୁ ଯେକୌଣସି ମୂହୁର୍ତ୍ତରେ ଛାତ ଗଳି ପଡିବା ଆଶଙ୍କା ବି ରହିଛି । ତଳେ ବସି ପାଠ ପଢୁଛନ୍ତି ଛାତ୍ରାଛାତ୍ରୀ । ବିସ୍ଥାପିତ ଛର୍ଲା ବାସୀଙ୍କ ଦୁଃଖ ଏହି ବିଦ୍ୟାଳୟର ଅବସ୍ଥା ଦେଖିଲେ ସ୍ପଷ୍ଟ ହୋଇଯାଉଛି ।
ଖଣି ଖଦାନ ପାଇ ଝାରସୁଗୁଡା ଜିଲ୍ଲାର ଅନେକ ଗ୍ରାମବାସୀ ବିସ୍ଥାପିତ ହୋଇଥିବା ବେଳେ ସେଥିମଧ୍ୟରୁ ଛର୍ଲା ଗ୍ରାମବାସୀ ମଧ୍ୟ ବିସ୍ଥାପିତ ହୋଇଥିଲେ । କୋଇଲା ଉତ୍ପାଦନ କରୁଥିବା ସଂସ୍ଥା ମହାନଦୀ କୋଲଫିଲ୍ଡସ୍ ଲିମିଟେଡ (ଏମ୍ସିଏଲ) ଦ୍ଵାରା ଛର୍ଲା ଗ୍ରାମବାସୀ ମାନଙ୍କୁ ମଧ୍ୟ ବିସ୍ଥାପିତ କରଯାଇଥିଲା । ବିସ୍ଥାପିତ ନିୟମ ଅନୁସାରେ ଛର୍ଲା ଗ୍ରାମକୁ ଥଇଥାନ କରିବା ପାଇ ଏକ ନୂଆଜାଗାରେ ଏମ୍ସିଏଲ ଜମି ଅଧିଗ୍ରହଣ କରି ନୂଆ ଛର୍ଲା ନାମରେ ଛର୍ଲା ଗ୍ରାମବାସୀଙ୍କୁ ଜାଗା ଦିଆଯିବା ସହ ପିଇବାପାଣି, କ୍ଲବ, ରାସ୍ତା , ଚିକିତ୍ସା ସହିତ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଥିଲେ । କିନ୍ତୁ ପ୍ରତିଶ୍ରୁତି ଭୁଲିଯାଇଛି ଏମ୍ସିଏଲ ।
ନୂଆଛର୍ଲା ଠାରେ ତିଆରି କରିଥିବା ନୂଆଁ ଛର୍ଲା ବିଦ୍ୟାଳୟ ବର୍ତ୍ତମାନ ବିପଦସଙ୍କୁଳ ଅବସ୍ଥାରେ । ଏହି ସ୍କୁଲ ଛାତରୁ ପ୍ଲାଷ୍ଟର ସିମେଣ୍ଟ ଖସୁଛି , ରଡ଼ ଦେଖା ଯାଉଛି, ଛାତରୁ ପାଣି ମଧ୍ୟ ଗଳୁଛି । ଫଳରେ ଶ୍ରେଣୀଗୃହ ଏପରି ଅବସ୍ତା ଓ ଶ୍ରେଣୀଗୃହ ଅଭାବରୁ ସ୍କୁଲ ବାରଣ୍ଡାରେ ଛାତ୍ରୀଛାତ୍ରଙ୍କୁ ପାଠ ପଢାଯାଉଛି । ଏଥିଯୋଗୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି ।
ଏପରି ସ୍ଥିତିରେ ଅଭିଭାବକ ସ୍କୁଲକୁ ପିଲାମାନଙ୍କୁ ଘରୁ ଛାଡିବା ପାଇଁ ଡରୁଛନ୍ତି । ଶ୍ରେଣୀଗୃହ ମରାମତି କରାଯାଉ ନ ଥିବା ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଉପୁଜିଛି । ଏପରି ସ୍ଥିତିରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି ସ୍କୁଲର ଏଭଳିଆ ଅସୁବିଧା ଯୋଗୁଁ ଏମ୍ସିଏଲ୍ କାର୍ତ୍ତୃପକ୍ଷ ସହ ଜିଲା ଶିକ୍ଷା ଅଧିକାରୀଙ୍କୁ ଜଣାଇଛନ୍ତି । ଜିଲ୍ଲା ଶିକ୍ଷାଧୀକାରି କହିଛନ୍ତି ଏମ୍ସିଏଲ୍ କର୍ତ୍ତୃପକ୍ଷ ସହ କଥା ହୋଇଛନ୍ତି ଓ ଏମ୍ସିଏଲ ଖୁବ ଶୀଘ୍ର ଏହାର ମରାମତି କାମ କରିବ ।
ଜିଲ୍ଲା ପ୍ରଶାସନ ଡିଏମଏଫ୍ ଫଣ୍ଡରୁ କିମ୍ବା ମହାନଦୀ କୋଇଲା ଖଣି ତରଫରୁ କିଛି ଅର୍ଥ ବ୍ୟବସ୍ଥା କରି ସ୍କୁଲଗୃହର ମରାମତି ସହ ପାଚେରି ଓ ରୋଷଶାଳା ନିର୍ମାଣ କାମ ହୋଇପାରନ୍ତା । ହେଲେ କୋଇଲା ଖଣି ଦ୍ଵାରା ବିସ୍ଥାପିତ ହୋଇଥିବା ଏହି ଅଞ୍ଚଳର ଅନେକ ଗ୍ରାମବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଧୀରେ ଧୀରେ ଭୁଲିବାରେ ଲାଗିଛନ୍ତି ସମସ୍ତେ ।
ଝାରସୁଗୁଡାରୁ ରବି ନାରାୟଣ ସାହୁ , ଇଟିଭି ଭାରତ