ଝାରସୁଗୁଡ଼ା: ସଡକ ଦୁର୍ଘଟଣାରେ ଜୀବନ ବଞ୍ଚାଇବା ପାଇଁ ଓଡିଶା ସରକାର ଆରମ୍ଭ କରିଛନ୍ତି ରକ୍ଷକ ଯୋଜନା(Rakshak Yojana) । ଏହି ଯୋଜନା ମାଧ୍ୟମରେ କିଭଳି ଜିଲ୍ଲାଗୁଡ଼ିକରେ ଦୁର୍ଘଟଣା ସଂଖ୍ୟା କମାଯାଇପାରିବ, ତାହା ଏକ ବଡ଼ ପଦକ୍ଷେପ l ସେଥିପାଇଁ ଝାରସୁଗୁଡା ଜିଲ୍ଲାରେ ଦୁର୍ଘଟଣା ବଢ଼ୁଥିବାରୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଅଧୀନରେ ଆଜି(ଶନିବାର) ଜିଲ୍ଲା ଖଣିଜ ପାଣ୍ଠି ସମ୍ମିଳନୀ କକ୍ଷରେ 'ରକ୍ଷକ' ନାମକ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ତାଲିମ ପ୍ରଶିକ୍ଷଣ ଶିବିରରେ ଜିଲ୍ଲାରେ ଚିହ୍ନଟ ହୋଇଥିବା ବ୍ଲାକ ସ୍ପଟ(black spot) ଏବଂ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଞ୍ଚଳର ଯୁବକମାନେ ଯୋଗ ଦେଇଥିଲେ ।
ଦୁର୍ଘଟଣାରେ ଆହତ ହେଉଥିବା ଲୋକଙ୍କୁ କେମିତି ଉଦ୍ଧାର କରାଯାଇ ଚିକିତ୍ସିତ କରାଯିବ, ଏହି ତାଲିମ କେନ୍ଦ୍ରର ଥିଲା ମୂଳ ଲକ୍ଷ୍ୟ । ଏଥିରେ ଫାଷ୍ଟ ରେସ୍ପଣ୍ଡଡରମାନଙ୍କୁ ତାଲିମ ମଧ୍ୟ ଦିଆଯାଇଛି l ଏପଟେ ଜାତୀୟ ରାଜପଥ କଡ଼ରେ ଭାରିଯାନଗୁଡ଼ିକ ଠିଆ ହେଉଥିବା ଯୋଗୁଁ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି । ସେଥିପାଇଁ ଜିଲ୍ଲା ପରିବହନ ବିଭାଗ ଏବଂ ପୋଲିସ ପ୍ରଶାସକଙ୍କ ମିଳିତ ଭାବରେ ଚେକିଂକୁ କଡ଼ାକଡ଼ି କରାଯିବ ବୋଲି ଜିଲ୍ଲାପାଳ ପ୍ରତିକ୍ରିୟା ଦେଇଛନ୍ତି ।
ଏହି ତାଲିମ ଶିବିରରେ ରେଡ଼କ୍ରସ, ପୋଲିସ, ସ୍ବାସ୍ଥ୍ୟ ବିଭାଗ, ପରିବହନ ବିଭାଗ ସମେତ ଫାଷ୍ଟ ରେସ୍ପଣ୍ଡରମାନେ ସାମିଲ ହୋଇଥିଲେ ।
ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ