ଝାରସୁଗୁଡା: ସାରା ରାଜ୍ୟରେ ପଞ୍ଚାୟତ ନିର୍ବାଚନର ମାହୋଲ । ରାଜ୍ୟ ମୁଖ୍ୟାଳୟରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଜାରି ରହିଛି ଟିକେଟ ପାଇଁ ଘମାସାନ । ବିଶେଷ କରି ଜିଲ୍ଲା ପରିଷଦ ନିର୍ବାଚନ ଦଳୀୟ ଭିତ୍ତିରେ ଲଢାଯାଉଥିବାରୁ ଟିକେଟ ବଣ୍ଟନ ଏବେ 3 ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି ।
ଆଜି ନାମାଙ୍କନ ଦାଖଲର ତୃତୀୟ ଦିନ ହୋଇଥିବା ବେଳେ, ଅଧିକାଶଂ ଜିଲ୍ଲାରେ ଜିଲ୍ଲା ପରିଷଦ ପାଇଁ ଏଯାଏଁ ଅଙ୍କ ଛିଣ୍ଡିନାହିଁ । ପୁଣି ସ୍ଥାନୀୟ ସମସ୍ୟା ଓ ଆଞ୍ଚଳିକତାବାଦ ଏବେ ବଡ ସମସ୍ୟା ଭାବେ ସବୁ ରାଜନୈତିକ ଦଳ ପାଇଁ ଉଭା ହୋଇଛି । ଯାହାର ଜ୍ବଳନ୍ତ ଘଟଣା ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅଞ୍ଚଳରେ ।
ଘଟଣା ଅନୁସାରେ ବର୍ତ୍ତମାନ ସୁଦ୍ଧା ଝାରସୁଗୁଡା ଜିଲ୍ଲା ପାଇଁ କୌଣସି ଦଳ ଜିଲ୍ଲା ପରିଷଦ ପ୍ରାର୍ଥୀ ଘୋଷଣା କରିନାହାଁନ୍ତି । ଏହାରି ଭିତରେ ଲଖନପୁର ଅଞ୍ଚଳରେ ଲାଗିଛି ଅଜଣା ପୋଷ୍ଟର । ବହୁତ ସହିଲୁ ଆଉ ନୁହେଁ । ୧୯ ଖଣ୍ଡ ମୌଜାରୁ ପ୍ରାର୍ଥୀ ଦିଏ । ନଚେତ ମହଙ୍ଗା ପଡିବ । ଏକ କିଛି ଲେଖା ଥିବା ପୋଷ୍ଟର ଏବେ ସମଗ୍ର ଅଞ୍ଚଳରେ ଲାଗିଛି । ରାଜ୍ୟର ଦ୍ବିତୀୟ ବୃହତ୍ତମ ବ୍ଲକ ହେଉଛି ଲଖନପୁର | ହେଲେ ବିଡମ୍ବନା ଛତିଶଗଡ ସୀମାନ୍ତକୁ ଲାଗି ଥିହା ଏହି ବ୍ଲକର ଯେତିକି ବିକାଶ ହେବା କଥା ହୋଇନାହିଁ । ଯାହାକୁ ନେଇ ଏବେ ତାତିଛନ୍ତି ସମଗ୍ର ଅଞ୍ଚଳର ଭୋଟର । ପୋଷ୍ଟର ମାଧ୍ୟମରେ ସମସ୍ତ ରାଜନୈତିକ ଦଳଙ୍କୁ ସିଧା ଚେତାବନୀ ଦେଇ କହିଛନ୍ତି ଏଥର ଆମ 19 ଖଣ୍ଡ ମୌଜାରୁ ହିଁ ରାଜନୈତିକ ଦଳ ପ୍ରାର୍ଥୀ ଦିଅନ୍ତୁ । ନଚେତ ଭୋଟ ବର୍ଜନ ହେବ । ଏହାସହ ଯେଉଁ ଦଳ 19 ଖଣ୍ଡ ମୌଜାରୁ ପ୍ରାର୍ଥୀ ଦେବ ସେହି ଦଳକୁ ସମର୍ଥନ କରିବେ ବୋଲି ଏହି ଅଜଣା ପୋଷ୍ଟରରେ ଉଲ୍ଲେଖ ରହିଛି ।
ଜିଲ୍ଲା ମୁଖ୍ୟାଳୟଠାରୁ ୧୦୦ କିଲୋମିଟର ଦୂରରେ ବସବାସ କରୁଥିବା ଏହି 19 ଖଣ୍ଡ ମୌଜାରୁ ଆରମ୍ଭ ହୁଏ ଝାରସୁଗୁଡା ଜିଲ୍ଲାର ଜିଲ୍ଲା ପରିଷଦ ଜୋନ-1 ଆସନ । ରେମତା, କଣ୍ଢେଇକେଲା, ଚାରପାଲି, ପିଥିଣ୍ଡା ଏହି ୪ଟି ପଞ୍ଚାୟତ ବ୍ୟତୀତ ଅନ୍ୟ ୮ ପଞ୍ଚାୟତକୁ ମିଶାଇ ମୋଟ ୧୨ ଟି ପଞ୍ଚାୟତକୁ ନେଇ ଜିଲ୍ଲା ପରିଷଦ ଜୋନ-୧ ଗଠିତ ହୋଇଠଛି ।
ହେଲେ ଆଜି ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ଏହି ୧୯ ଖଣ୍ଡ ମୌଜାରୁ କାହାକୁ ପ୍ରାର୍ଥୀ କରି ନାହାନ୍ତି । ଫଳରେ ସେଠାକାର ଦାବି, ସ୍ବର, କେବେ ପ୍ରଶାସନ ପାଖରେ ପହଞ୍ଚେ ନାହିଁ । ତେଣୁ ଚଳିତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସେହି ଅଞ୍ଚଳରୁ ପ୍ରାର୍ଥୀ ଦେବାକୁ ଲାଗିଛି ଅଜଣା ପୋଷ୍ଟର । ଯାହା ଆଶାୟୀ ଓ ରାଜନୈତିକ ଦଳ ପାଇଁ ଚିନ୍ତାର କାରଣ ପାଲଟିଲାଣି । ପୂର୍ବରୁ ଏହି ଅଞ୍ଚଳବାସୀ ଏକାଠି ହୋଇ ଛତିଶଗଡ ଚଲୋ ନାରା ଦେଇଥିଲେ । ସେତେବେଳେ ଏହାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ବର୍ତ୍ତମାନ ମଧ୍ୟ ଏଭଳି ପୋଷ୍ଟର ଏବେ ୩ ଦଳ ପାଇଁ ବଡ ଆହ୍ବାନ ସୃଷ୍ଟି କରିପାରେ । ଏହି ଅଞ୍ଚଳବାସୀଙ୍କ ଦାବିକୁ ମଧ୍ୟ ସମସ୍ତ ରାଜନୈତିକ ଦଳ ଗମ୍ଭୀରତାର ସହ ବିଚାର କରିବାର ସମୟ ଆସିଛି ।
ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ