ଝାରସୁଗୁଡା: ସରକାର ଜନସାଧାରଣଙ୍କ ପାଇଁ ଯେତେ ନିୟମ ଲାଗୁ କରିଥିଲେ ମଧ୍ୟ କେଉଁଠି ନା କେଉଁଠି ଜନସାଧାରଣ ନିୟମ ଉଲ୍ଲଘଂନ କରିଚାଲିଛନ୍ତି । ଆମ ବିଧିବ୍ୟବସ୍ଥାରେ ୧୮ ବର୍ଷ ରୁ କମ୍ ବୟସ ହେଉଥିବା ଝିଅ ମାନଙ୍କୁ ବିବାହ କରିବା ସଂପୂର୍ଣ୍ଣ ଭାବେ ବନ୍ଦ ଥିବା ବେଳେ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ବ୍ରଜରାଜନଗର ଗାନ୍ଧୀଛକ ଫାଣ୍ଡି ଅଞ୍ଚଳରେ ।
ଖବର ଅନୁଯାୟୀ, ୧୬ ବର୍ଷ ର ନାବାଳିକା ଝିଅକୁ ତାର ବାପା ମା’ଙ୍କ ଜାଣତରେ ଭୋଜିଭାତ ସହ ବାହାଘର ଚାଲିଥିଲା। ଆଜି (ସୋମବାର) ବାହାଘର ଚାଲିଥିବା ସମୟରେ ଜିଲ୍ଲା ଚାଇଲ୍ଡ ହେଲ୍ପ ଲାଇନର ସଂଯୋଜକ ଆଶିଷ କୁମାର ପଣ୍ଡା, ସିଡିପିଓ ପୂର୍ଣ୍ଣମାସି ସାହୁ ବାହାଘର ସ୍ଥାନରେ ପହଞ୍ଚି ବାହାଘର ବନ୍ଦ କରିଛନ୍ତି।
ଗାନ୍ଧୀ ଛକ ପୋଲିସ ଗୋପାଲ ଦାସଙ୍କ ମିଳିତ ସହାୟତାରେ ୧୬ ବର୍ଷର ନାବାଳିକା ଝିଅକୁ ଉଦ୍ଧାର କରି ବରକୁ ବୁଝାସୁଝା କରି ଝିଅକୁ ନେଇ ଫେରିଛନ୍ତି । ନାବାଳିକା ଝିଅକୁ ଶିଶୁ ମଙ୍ଗଳ କମିଟି ପରାମର୍ଶ ଅନୁସାରେ ଥଇଥାନ କରାଯିବ ବୋଲି ଚାଇଲ୍ଡ ହେଲ୍ପ ଲାଇନର ସଂଯୋଜକ ଆଶିଷ ପଣ୍ଡା ସୂଚନା ଦେଇଛନ୍ତି।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ