ଭୁବନେଶ୍ବର/ଝାରସୁଗୁଡା: ମନ୍ତ୍ରୀ ନବ ଦାସଙ୍କୁ କାହିଁକି ଗୁଳି କରି ହତ୍ୟା କଲା ଗୋପାଳ । କଣ ରହିଛି ଏହା ପଛର ରହସ୍ୟ । ନବ ଦାସଙ୍କ ସହ ଏଏସଆଇ ଗୋପାଳର ଶତ୍ରୁତା ଥିଲା ନା ଅନ୍ୟ କିଛି କାରଣକୁ ନେଇ ମନ୍ତ୍ରୀଙ୍କ ଉପରକୁ ଗୁଳି ମାଡ କରିଥିଲା ଗୋପାଳ । ଏମିତି ଅନେକ ପ୍ରଶ୍ନକୁ ନେଇ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ଗୋପାଳଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯାଇଥିଲେ ବି ଏପର୍ଯ୍ୟନ୍ତ ହତ୍ୟାର ପଛର ରହସ୍ୟ ସ୍ପଷ୍ଟ ହୋଇପାରିନାହିଁ ।
ଆଉ ଏହାରି ଭିତରେ ବ୍ରଜରାଜନଗର ଗାନ୍ଧି ଛକ ଫାଣ୍ଡିରେ ଥିବା ଧଳା କାରକୁ ଛାନଭିନ କରିଛି କ୍ରାଇମବ୍ରାଞ୍ଚ । ଗାନ୍ଧି ଛକ ଫାଣ୍ଡିରେ ଏକ ଧଳା ରଙ୍ଗର ଭର୍ଣ୍ଣା କାର ରହିଛି । କାରର ଚାବି ଥାନାରେ ରହିଛି । କ୍ରାଇମବ୍ରାଞ୍ଚର ଟିମ ଗୋପାଳକୁ ଫାଣ୍ଡିକୁ ଆଣିଥିଲା । ଆଉ ଗୋପାଳ ଏହି କାର ଭିତରୁ କିଛି କାଗଜପତ୍ର ଓ ଡାଏରୀ କ୍ରାଇମବ୍ରାଞ୍ଚକୁ ଦେଇଛି । ଚର୍ଚ୍ଚା ହେଉଛି ଏହି କାରଟି କୋଇଲା ବ୍ୟବସାୟୀଙ୍କର କିମ୍ବା ଠିକାଦାରଙ୍କ ନାଁରେ ରେଜିଷ୍ଟ୍ରୀ ହୋଇଛି । ଆଉ ଏହି କାରକୁ ବ୍ୟବହାର କରୁଥିଲା ଗୋପାଳ ।
ଏଠି ପ୍ରଶ୍ନ ଉଠୁଛି କୋଇଲା ମାଫିଆ ମାନଙ୍କ ସହିତ ଗୋପାଳର କିଛି ଲିଙ୍କ ଥିଲା କି ? ନବ ଦାସଙ୍କୁ ହତ୍ୟା ପଛରେ କୋଇଲା ବ୍ୟବସାୟୀଙ୍କ ଶତ୍ରୁତା ନାହିଁ ତ ? ବ୍ୟବସାୟିକ ଶତ୍ରୁତା କାରଣରୁ ଗୋପାଳକୁ ମାଧ୍ୟମ କରି କେହି ଗୁଳି ଚଳାଇ ନାହାନ୍ତି ତ ମନ୍ତ୍ରୀଙ୍କ ଉପରକୁ ? ଏମିତି ଅନେକ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି ।
ଏହି ଧଳା କାର ସହିତ ମନ୍ତ୍ରୀଙ୍କ ହତ୍ୟାର କଣ ରହିଛି ସମ୍ପର୍କ, ସେନେଇ ଅଧିକ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ । କାରଣ କୋଇଲା ବ୍ୟବସାୟୀ, କାର ଏବଂ ଗୋପାଳ ପରସ୍ପର ସହିତ ଛନ୍ଦି ହୋଇ ରହିଛନ୍ତି । 22ଖଣ୍ଡ ଟୁକୁ଼ରା କାଗଜରେ ଥିବା ଲେଖା ତାର ବୋଲି ଗୋପାଳ କ୍ରାଇମବ୍ରାଞ୍ଚ ଆଗରେ ସ୍ବୀକାର କରିଛି । ଏହି ଲେଖାକୁ ଅଧିକ ଯାଞ୍ଚ ପାଇଁ ହ୍ୟାଣ୍ଡରାଇଟିଂ ଏକ୍ସପର୍ଟଙ୍କ ନିକଟକୁ ପଠାଯିବ । ହୁଏତ କ୍ରାଇମବ୍ରାଞ୍ଚକୁ ଏଥିରୁ କିଛି ସୁରାଗ ମିଳିବା ନେଇ ଆଶା କରାଯାଉଛି ।
ବ୍ରହ୍ମପୁର ଆଙ୍କୁଲି ସ୍ଥିତ ଘରେ ଆଜି କ୍ରାଇମବ୍ରାଞ୍ଚ ଟିମ ଯାଞ୍ଚ କରିଛି । ଏଠାରୁ ମଧ୍ୟ କିଛି କାଗଜ ପତ୍ର ଜବତ କରିଛି କ୍ରାଇମବ୍ରାଞ୍ଚ । ହୁଏତ ଏଠାରୁ ମଧ୍ୟ କିଛି ସୁରାକ ଲାଗିପାରେ କ୍ରାଇମବ୍ରାଞ୍ଚ ହାତରେ । ଯାହାକି ହତ୍ୟା ପଛର ରହସ୍ୟ ଖୋଲିପାରେ । ଗୋପାଳର 4 ଦିନିଆ ରିମାଣ୍ଡ ଅବଧି ଶେଷ ହେଉଥିବା ବେଳେ ପୁଣି ଥରେ ରିମାଣ୍ଡ ପାଇଁ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ । ରିମାଣ୍ଡରେ ଆଣି ପୁଣି ଥରେ ତନାଘନା ତଦନ୍ତ କରି ହତ୍ୟାକାଣ୍ଡ ପଛର ଅସଲ ରହସ୍ୟ ଖୋଲିବାକୁ ଚେଷ୍ଟା କରିବ କ୍ରାଇମବ୍ରାଞ୍ଚ ।
ଇଟିଭି ଭାରତ, ଭୁବନେଶ୍ବର ଓ ଝାରସୁଗୁଡା