ଝାରସୁଗୁଡା: ଧାନ ବିକ୍ରି ପାଇଁ ନାମ ପଞ୍ଜିକୃତ କରିଛି ଚାଷୀ । ଟୋକନ ବି ମିଳିଛି । ଧାନ ବିକ୍ରିପାଇଁ ନିୟମ ଅନୁସାରେ ସବୁ ପ୍ରକ୍ରିୟା କରିବା ପରେ ବି ଧାନ ବିକ୍ରି କରିପାରୁନି ଚାଷୀ । ମଣ୍ଡିରେ ଅବବ୍ୟସ୍ଥା ନେଇ ହନ୍ତସନ୍ତ ହେଉଛି ଚାଷୀ । ଏପରି ଅବବ୍ୟସ୍ଥା ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ମଣ୍ଡିରେ । ମଣ୍ଡିରେ ସମସ୍ୟା ନେଇ ଝାରସୁଗୁଡା କୃଷକ ସଂଗଠନ ପକ୍ଷରୁ ରାସ୍ତା ଅବରୋଧ ହୋଇଛି ।
ଚଳିତ ବର୍ଷ ଟାର୍ଗେଟକୁ ନେଇ ଚାଷୀ ମାନେ ଦ୍ଵନ୍ଦରେ ରହୁଥିବା ବେଳେ ଜିଲ୍ଲାର ପଞ୍ଜିକୃତ ୨୬ ପ୍ରତିଶତ ଚାଷୀ ଧାନ ବିକ୍ରି ନେଇ ଆଶା ଓ ଆଶଙ୍କାରେ ରହିଛନ୍ତି । ଅନ୍ୟପଟେ ଜିଲ୍ଲାରେ ବିଭିନ୍ନ ମଣ୍ଡିରେ ହଜାର ହଜାର ଧାନ ବସ୍ତା ପଡି ରହିଥିବା ବେଳେ ତ୍ରୁଟି ପୂର୍ଣ୍ଣ ଧାନ କ୍ରୟ ନୀତି ଯୋଗୁଁ ଜିଲ୍ଲାର ଅନେକ କୃଷକଙ୍କ ଟୋକେନ୍ ଲେପ୍ସ ହୋଇଯାଉଛି। ଲେପ୍ସ ଟୋକେନ୍ର ନବୀକରଣ ଏବଂ ଝାରସୁଗୁଡାରେ ଧାନ କ୍ରୟ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଦାବିରେ ଛତିଶଗଡ଼ ସୀମାନ୍ତ ରେମତା, ଚାରପାଲି ,ଭିଖମପାଲି, କନକତୋରା, ଅତାବିରା ପ୍ୟାକ୍ସ ଅନ୍ତର୍ଗତ ଚାଷୀ ମାନେ ୪୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରି ପ୍ରତିବାଦ କରିଛନ୍ତି ।
ଚଳିତ ଖରିଫ ଋତୁ ପାଇଁ ଜିଲ୍ଲାରେ ଗତ ୨୫ ନଭେମ୍ବରରୁ ଧାନ ସଂଗ୍ରହ ଆରମ୍ଭ ହୋଇଥିବା ବେଳେ ଅନେକ ପ୍ୟାକ୍ସରେ ସମସ୍ୟା ଲାଗି ରହୁଛି । ଚଳିତ ବର୍ଷ ଜିଲ୍ଲାରେ ୧୮ ହଜାର ୫୧୫ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକୃତ କରିଥିବା ବେଳେ ଆଜି ସୁଦ୍ଧା ମାତ୍ର ୧୩ ହଜାର ୭୬୦ ଜଣ ଚାଷୀ ୮ ଲକ୍ଷ ୧୫ ହଜାର କ୍ବାଣ୍ଟାଲ ଧାନ ବିକ୍ରି କରିଛନ୍ତି । ସମସ୍ୟାର ସମାଧାନ ନ ହେଲେ ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଚାଷୀ ନେତା ।
ଝାରସୁଗୁଡାରୁ ରବି ନରାୟଣ ସାହୁ, ଇଟିଭି ଭାରତ