ଝାରସୁଗୁଡା: ଆୟକର ଫାଙ୍କିବାକୁ ଯାଇ ପୋଲିସକୁ ଭୂଆଁ ବୁଲାଇଛନ୍ତି ଝାରସୁଗୁଡା ବ୍ୟବସାୟୀ । ବ୍ୟବସାୟୀଙ୍କ ଦ୍ବାରା ପ୍ରାୟ 10 ଲକ୍ଷ 45 ହଜାର ଟଙ୍କା ଲୁଟ ଘଟଣା ନେଇ ଅଭିଯୋଗ ହେବା ପରେ ତଦନ୍ତ କରି ଘଟଣା ଉପରୁ ପରଦା ହଟାଇବାରେ ସକ୍ଷମ ହୋଇଛି ଝାଗସୁଗୁଡା ପୋଲିସ । ଯାହା ଅନୁଯାୟୀ ଆୟକର ଫାଙ୍କି ସହ ଅନ୍ୟାନ୍ୟ କାରଣ ପାଇଁ ବ୍ୟବସାୟୀ ଜଣଙ୍କ ଏହିଭଳି ଉଦ୍ୟମ କରିଥିବା ସୂଚନା ଦେଇଛନ୍ତି ଝାରସୁଗୁଡା ଏସପି ଅଶ୍ବିନୀ କୁମାର ମହାନ୍ତି ।
ସୂଚନା ମୁତାବକ ଗୁରୁବାର ଦିନ 1ଟା 50 ମିନିଟରେ ଝାରସୁଗୁଡା ବାଇପାସ ପାଖରେ ଥିବା ଶଙ୍କର କେଡିଆଙ୍କ ଶ୍ରେୟା ଟ୍ରେଡର୍ସ ଗୋଦାମରେ 2ରୁ 3ଜଣ ଅଜ୍ଞାତ ବନ୍ଧୁକଧାରୀ ଗୋଦାମ ମାଲିକଙ୍କୁ ବନ୍ଧୁକମୁନରେ ଲୁଟ ଉଦ୍ୟମ କରିଥିଲେ । ଏନେଇ ପୋଲିସରେ ଅଭିଯୋଗ କରିବା ପରେ ପୋଲିସ ତୁରନ୍ତ ଜିଲ୍ଲାର ସବୁ ସୀମା ସିଲ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ତଦନ୍ତ ସମୟରେ ଶଙ୍କର କେଡିଆଙ୍କ ପାଖରେ ମାତ୍ର 24 ହଜାର ଟଙ୍କା ରହିଥିବା ଗୋଦାମ କର୍ମଚାରୀଙ୍କଠାରୁ ଜଣା ପଡିଥିଲା ।
ତେବେ ତଦନ୍ତ ପରେ ଜଣା ପଡିଥିଲା କି ଏହା କୌଣସି ଲୁଟ ନୁହେଁ ବରଂ ଆୟକର ଫାଙ୍କି ସହ ଅନ୍ୟ କିଛି କାରଣ ପାଇଁ ଏହିଭଳି ନାଟକ ରଚନା କରାଯାଇଥିଲା । ଏନେଇ ସମ୍ପୃକ୍ତ ଗୋଦାମ ମାଲିକଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ଦେଇଛନ୍ତି ଏସପି ଅଶ୍ବିନୀ ମହାନ୍ତି ।
ଝାରସୁଗୁଡା ରବି ନାରାୟଣ ସାହୁ, ଇଟିଭି ଭାରତ