ଝାରସୁଗୁଡା: ଆସନ୍ତା ମେ ୨୫ ତାରିଖରୁ ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଆରମ୍ଭ ହେଉଛି ଘରୋଇ ବିମାନ ସେବା । କୋରୋନା ମୁକାବିଲା କରିବାକୁ ଯାଇ ଗତ ମାର୍ଚ୍ଚ ୨୫ରୁ ବିମାନ ସେବା ବନ୍ଦ ରହିଥିଲା ।
ଝାରସୁଗୁଡ଼ା ଜିଲ୍ଲାପାଳ, ଏସପି, ଏୟାରପୋର୍ଟ ଡ଼ାଇରେକ୍ଟରଙ୍କ ସମେତ ଜିଲା ଚିକିତ୍ସା ଅଧିକାରୀ ଓ ବିଭାଗୀୟ ଅଧିକାରୀ ଙ୍କ ଉପସ୍ଥିତିରେ ଏକ ସମୀକ୍ଷା ବୈଠକ ହୋଇଥିଲା । ବୈଠକ ପରେ ସମସ୍ତେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ବୁଲି ଦେଖିଥିଲେ। ଏୟାରପୋର୍ଟ ଅଥରିଟି ଏହାରି ମଧ୍ୟରେ ଯାତ୍ରୀମାନଙ୍କ ପାଇଁ ଜରୁରୀ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିୟର (ଏସଓପି ) ଜାରି କରି ଦିଆଯାଇଛି ।
ଏହି ନିୟମ ମାନୁ ନଥିବା ଯାତ୍ରୀଙ୍କୁ ଏୟାରପୋର୍ଟରେ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ । ସେହିପରି ଟିକେଟ ଦର ମଧ୍ୟ ନିର୍ଦ୍ଧାରଣ କରାଯାଇଛି । ଝାରସୁଗୁଡା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆଗାମୀ 25 ତାରିଖରୁ ସ୍ପାଇସଜେଟ୍ ପକ୍ଷରୁ ନୂଆଦିଲ୍ଲୀ, କୋଲକାତା, ହାଇଦ୍ରାବାଦ ଏବଂ ଏୟାରଲାନ୍ସ ପକ୍ଷରୁ ଭୁବନେଶ୍ୱର ଓ କୋଲକାତାକୁ ବିମାନ ଚାଲିବ ଓ ଏଥିପାଇଁ ଅନଲାଇନ ବୁକିଙ୍ଗ ସେବା ମଧ୍ୟ ଆରମ୍ଭ ହୋଇଛି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ