ଝାରସୁଗୁଡା: ଉପନିର୍ବାଚନ ପାଇଁ ଉଠୁଛି ପଡୁଛି ଝାରସୁଗୁଡା । ତାରିଖ ଯେତିକି ନିକଟ ହେଉଛି ପ୍ରସ୍ତୁତି ସେତେ ଆଗଉଛି । ଝାରସୁଗୁଡ଼ା ଵିଧାନସଭା ନିର୍ବାଚନ ମଣ୍ଡଳୀ ଉପନିର୍ବାଚନ ଭାରତୀୟ ରାଜସ୍ବ ସେବା ଅଧିକାରୀ ଡ.ରବିରାଜ ଖୋଗରେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଛନ୍ତି । ପୂର୍ବରୁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ ଭାରତୀୟ ରାଜସ୍ବ ସେବା ଅଧିକାରୀ ଶିତୋଳେ ସତୀଶ ବିଶ୍ବନାଥଙ୍କ ସ୍ଥାନରେ ରବିରାଜ ଖୋଗରଙ୍କୁ ନିଯୁକ୍ତି ଦିଆଯାଇଛି । ହେବାକୁ ଥିବା ଉପନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀମାନେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ଖର୍ଚ୍ଚ କରୁଛନ୍ତି କି ନାହିଁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ତାହା ତଦାରଖ କରିବେ ।
ଡିଏମ୍ଏଫ୍ ସମ୍ମିଳନୀ କକ୍ଷରେ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇଛନ୍ତି ଖର୍ଚ୍ଚ ପର୍ଯ୍ୟବେକ୍ଷକ ଡ. ରବିରାଜ ଖୋଗରେ । ନିର୍ବାଚନୀ ଖର୍ଚ୍ଚର ହିସାବ ପରିଚାଳନା ସମ୍ପର୍କରେ ସୂଚନା ପ୍ରଦାନ ପୂର୍ବକ ଯଥା ସମୟରେ ଏହାର ସମ୍ପୂର୍ଣ୍ଣ ବିବରଣୀ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ନିକଟରେ ଦାଖଲ ସହ ନିର୍ବାଚନ ଆୟୋଗଙ୍କ ଦ୍ବାରା ଜାରି ନିର୍ଦ୍ଦେଶାବଳୀର ସଠିକ ଅନୁପାଳନ ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ଜିଲ୍ଲା ନିର୍ବାଚନ ଅଧିକାରୀ । ନିର୍ବାଚନୀ ଖର୍ଚ୍ଚ ସମ୍ବନ୍ଧୀୟ କୌଣସି ଅଭିଯୋଗ ଥିଲେ ମୋବାଇଲ ନମ୍ବର ୮୮୯୫୮୧୯୪୫୨ ଯୋଗେ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ଯୋଗାଯୋଗ କରିବାକୁ ଅବଗତ କରାଯାଇଛି । ଏଥି ସହିତ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ହେଡକ୍ବାଟର୍ସରେ ଉପସ୍ଥିତି ଅନୁସାରେ ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ଦ୍ଵିତୀୟ ମହଲାରେ ଖର୍ଚ୍ଚ ପର୍ଯ୍ୟବେକ୍ଷଙ୍କ ପ୍ରକୋଷ୍ଠରେ ଦିନ 10ରୁ ଦିନ 11ଟା 30 ମଧ୍ୟରେ ସାକ୍ଷାତ କରିବାକୁ ସୂଚିତ କରାଯାଇଛି । ବୈଠକରେ ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ପ୍ରବୀର କୁମାର ନାୟକ,ଲଙ୍କେଶ୍ବର ଅମାତ,ଉପ ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ବାଇଁ, ସହକାରୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ ପି.କେ ରାଉତ, ପ୍ରାର୍ଥୀ ଓ ପ୍ରାର୍ଥୀଙ୍କ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
ଏହା ବି ପଢନ୍ତୁ...Jharsuguda Bypoll: ଘରକୁ ଘର ବୁଲି ଭୋଟ ମାଗୁଛନ୍ତି ପ୍ରାର୍ଥୀ, ମୈଦାନକୁ ଓହ୍ଲାଇଲେ ଦୀପାଳି
ଏହା ବି ପଢନ୍ତୁ...Jharsuguda By Poll: କାହାର ପଲ୍ଲା ଭାରି ? କଣ କହୁଛି ଅତୀତର ଟ୍ରେଣ୍ଡ
ପ୍ରକାଶଥାଉ କି ସ୍ବାସ୍ଥମନ୍ତ୍ରୀ ନବ କିଶୋର ଦାସଙ୍କ ଦେହାନ୍ତ ପରେ ଉପନିର୍ବାଚନ ଦେଖିବାକୁ ଯାଉଛି ଝାରସୁଗୁଡା । ଆସନ୍ତା ମଇ 10 ତାରିଖରେ ଝାରସୁଗୁଡା ଉପନିର୍ବାଚନ ଅନୁଷ୍ଠିତ ହେବ । ମଇ 13 ତାରିଖରେ ଫଳାଫଳ ପ୍ରକାଶ ପାଇବ । ତିନି ଦଳର ପ୍ରାର୍ଥୀ ମଇଦାନକୁ ଓହ୍ଲାଇ ସାରିଛନ୍ତି । ଦଳ ପକ୍ଷରୁ ପ୍ରଚାର ଜୋରଦାର ହୋଇଛି । ବିଜେଡି ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ଟଙ୍କଧର ତ୍ରିପାଠୀ ଓ କଂଗ୍ରେସ ପୂର୍ବତନ ବିଧାୟକ ବିରେନ ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କରିଛି । ନିର୍ବାଚନ ନିକଟ ହେଉଥିବାରୁ କମ୍ପିଲାଣି ପ୍ରଚାର ମଇଦାନ । ଘର ଘର ବୁଲି ଭୋଟ ମାଗୁଛନ୍ତି ପ୍ରାର୍ଥୀ ।
ଇଟିଭି ଭାରତ, ଝାରସୁଗୁ଼ଡା