ଝାରସୁଗୁଡା: ଓଡିଶା-ଛତିଶଗଡ଼ ସୀମାନ୍ତ ଝାରସୁଗୁଡା ଜିଲ୍ଲାର କନକତୋରା ପଞ୍ଚାୟତ ଅନ୍ତର୍ଗତ କୁହାକୁଣ୍ଡା ଗାଁରେ ଦୂଷିତ ପାଣି ପିଇ 25ରୁ ଊର୍ଦ୍ଧ୍ବ ଲୋକ ଝାଡାବାନ୍ତିରେ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ସହ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ତ୍ବରିତ ପଦକ୍ଷେପ ନେବା ଆରମ୍ଭ କରିଛି।
ଗତ ଅକ୍ଟୋବର ୨୫ ତାରିଖରୁ କୁହାକୁଣ୍ଡା ଗାଁରେ ଡାଇରିଆ ବ୍ୟାପିଥିଲା । ଏହାପରେ ଗାଁର ଡାଇରିଆରେ ଆକ୍ରାନ୍ତ ଲୋକେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ରାୟଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ।
ଏପଟେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତିଷେଧକ ବ୍ୟବସ୍ଥା ସହିତ ସଚେତନତା ସୃଷ୍ଟି କରାଯାଉଛି। ତେଣୁ ଏନେଇ ଶୁକ୍ରବାର ଆକ୍ରାନ୍ତଙ୍କୁ ଆମ୍ବୁଲାନସ ଜରିଆରେ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ଲାଗି ୯ ଜଣଙ୍କୁ ଅଣାଯାଇ ଚିକିତ୍ସା କରାଯାଉଛି।
ଅନ୍ୟପଟେ ଏକ ମେଡିକାଲ ଟିମ କୁହାକୁଣ୍ଡା ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି । ଏ ଘଟଣାକୁ ନେଇ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ