ଝାରସୁଗୁଡା: ଆସନ୍ତା ଉପନିର୍ବାଚନରେ ସତ୍ତା ହରାଇବେ ବିରୋଧୀ ପ୍ରାର୍ଥୀ । ବିପୁଳ ଭୋଟ ବ୍ୟବଧାନରେ ବିଜୀୟ ହେବ ବିଜେଡି । ଝାରସୁଗୁଡା ଉପନିର୍ବାଚନ ପ୍ରଚାର ଆରମ୍ଭ କରି ଏଭଳି ମନ୍ତବ୍ୟ ଦେଇଛନ୍ତି ଝାରସୁଗୁଡ଼ା ବିଜେଡି ପର୍ଯ୍ୟବେକ୍ଷକ ତଥା ରାଉରକେଲା ବିଧାୟକ ସାରଦା ନାଏକ ।
ସାରଦ କହିଛନ୍ତି ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ କାମ କରୁଛନ୍ତି । ତେଣୁ ଲୋକେ ଆଗାମୀ ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କର ଭଲପାଇବା ଦେବେ । ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହେବ ବିଜେଡି ।
ଆଜି କିର୍ମିରା ବ୍ଳକର କଲ୍ୟାଣ ମଣ୍ଡପରେ ବିଜୁ ଜନତା ଦଳ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମୀ ସମ୍ମିଳନୀରେ ଝାରସୁଗୁଡ଼ା ପର୍ଯ୍ୟବେକ୍ଷକ ସାରଦା ନାୟକ , ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମନ୍ତ୍ରୀ ଟୁକୁନୀ ସାହୁ , ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତିଙ୍କ ସମେତ ବିଜେଡି ପ୍ରାର୍ଥିନୀ ଦିପାଳୀ ଦାସ ଓ ତାଙ୍କ ଭାଇ ବିଶାଳ ଦାସ ଉପସ୍ଥିତ ଥିଲେ ।
ଏହି କର୍ମୀ ସମ୍ମିଳନୀରେ ଆସନ୍ତା ମେ ୧୦ ତାରିଖରେ ହେବାକୁ ଥିବା ଉପନିର୍ବାଚନ ପାଇଁ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ନେତାମାନେ । ନିର୍ବାଚନ ରେ ବିଜେଡି ବିପୁଳ ମାତ୍ରାରେ କେମିତି ଜିତିବ ତାର ରଣନୀତି ବିଷୟରେ ଆଲୋଚନା କରାଯାଇଥିଲା ।
ଗତକାଲି କଂଗ୍ରେସ ମଧ୍ୟ ପୂର୍ବତନ ବିଧାୟକ ବିରେନ୍ଦ୍ର ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେଙ୍କୁ ଟିକେଟ ଦେଇଥିଲା । ଝାରସୁଗୁଡା ଉପନିର୍ବାଚନ ପ୍ରାର୍ଥୀ ଚୟନ ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ ଏକ 5 ଜଣିଆ କମିଟି ଗଠନ କରିଥିଲେ । ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ବରେ ଟିମ ଝାରସୁଗୁଡା ଯାଇ ଦଳୀୟ ନେତା କର୍ମୀଙ୍କ ସହ ଆଲୋଚନା କରିଥିଲେ । ପରେ କମିଟି ପିସିସି ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ପିସିସିର ସୁପାରିଶ ଓ ଅଖିଳ ଭାରତୀୟ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କରିଛି । କଂଗ୍ରେସ ଟିକେଟ ପାଇଁ ଜିଲ୍ଲା ସଭାପତି ଅଶୋକ ମିଶ୍ର ଗତଥର ନିର୍ବାଚନ ଲଢିଥିବା ନେତା ମଧ୍ୟ ଟିକେଟ ଆଶାୟୀ ଥିଲେ । କିନ୍ତୁ ଦଳ 3 ଥର ବିଧାୟକ ବିରେନ ପାଣ୍ଡେଙ୍କ ପୁଅ ତଥା ଯୁବନେତା ତରୁଣ ପାଣ୍ଡେଙ୍କ ଉପରେ ଆସ୍ଥା ପ୍ରକଟ କରିଛି ଦଳ ।
ଅନ୍ୟପଟେ ବିଜେପି ମଧ୍ୟ ଖୁବଶୀଘ୍ର ଦଳୀୟ ପ୍ରାର୍ଥୀ ଘୋଷଣା କରିବ । ଆସନ୍ତାକାଲି ପୂର୍ବାହ୍ନ ସୁଦ୍ଧା ବିଜେପି ପ୍ରାର୍ଥୀ ଘୋଷଣା ହୋଇପାରେ ।
ଇଟିଭି ଭାରତ, ଝାରସୁଗୁଡା