ଝାରସୁଗୁଡା: ସାଧାରଣ ନିର୍ବାଚନକୁ ଆଉ କିଛି ଦିନ ବାକି ଥିବାବେଳେ ଏବେ ସବୁ ରାଜନୈତିକ ଦଳଙ୍କର ଚାଲିଛି ସମର ସଜ୍ଜା । ନିର୍ବାଚନରେ ବାଜିଗର ହେବା ପାଇଁ ସବୁଦଳ ଭୋଟରଙ୍କର ନିକଟତର ହେବାରେ ଲାଗିଛନ୍ତି, ଶାସକ ବିରୋଧି ଉଭୟେ ଉଭୟଙ୍କ ସଫଳତା ବିଫଳତା ଧରି ଭୋଟଙ୍କ ମନ ଜିଣିବାକୁ ଜୋରଦାର ଉଦ୍ୟମ ଚଳାଇଛନ୍ତି ।
ଏହି ପରିପ୍ରେକ୍ଷୀରେ ପଶ୍ଚିମ ଓଡିଶାର ଏକ ଗୁରୁତ୍ବପୂର୍ଣ୍ଣ ଲୋକସଭା ଆସନ ହେଉଛି ବରଗଡ ଲୋକସଭା ଆସନ। ଏହି ଆସନରୁ ବିଜେଡିରୁ ପ୍ରାର୍ଥୀ ହୋଇଥିବା ପ୍ରସନ୍ନ ଆଚାର୍ଯ୍ୟ ଗୁରୁବାର ଝାରସୁଗୁଡା ଓ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ସମସ୍ତ ବିଜେଡ଼ି କର୍ମକର୍ତ୍ତାଙ୍କ ସହ ଝାରସୁଗୁଡ଼ାସ୍ଥିତ ବିଜେଡି କାର୍ଯ୍ୟାଳୟରେ ଆଲୋଚନା କରିବା ସହ ଆସନ୍ତା ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ।
ସେହିପରି ବିଜେପିର ଲୋକସଭା ପ୍ରାର୍ଥୀ ତଥା ବିଜେପି ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ ଗୁରୁବାର ଝାରସୁଗୁଡାସ୍ଥିତ ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀରେ ନବୀନ ସରକାରଙ୍କ ବିରୋଧରେ ବର୍ଷିଛନ୍ତି । ସେ ଅଭିଯୋଗ କରିଛନ୍ତି ପଶ୍ଚିମ ଓଡିଶା ପ୍ରତି ବାରମ୍ବାର ଅବହେଳା କରିଆସିଥିବା ସରକାର ଏବେ କାହିଁକି ପଶ୍ଚିମ ଓଡିଶା ଉପରେ ଆଖି ପକାଇଛନ୍ତି ବୋଲି କହିଛନ୍ତି ।
ଏହାସହ ଖୋଲା ବିତର୍କ ପାଇଁ ରାଜ୍ୟ ସରକାରଙ୍କୁ ଆହ୍ବାନ କରିଛନ୍ତି ସୁରେଶ । ଆହୁରି କହିଛନ୍ତି ଯେ ଆଗାମୀ ନିର୍ବାଚନରେ ଦଳ ନିଶ୍ଚିତ ସଫଳତା ପାଇବ ଏବଂ ମୋଦି ପ୍ରଧାନମନ୍ତ୍ରୀ ହେବେ ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ