ଝାରସୁଗୁଡା: ଦିନକୁ ଦିନ ରାଜ୍ୟରେ କୋରୋନାର ପ୍ରାଦୁର୍ଭାବ ବଢିବାରେ ଲାଗିଛି । ଏହି କ୍ରମରେ ଝାରସୁଗୁଡାରେ ଗୋଟିଏ ଦିନରେ 25 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ଏହି ସଂଖ୍ୟକ ମାମଲା ରିପୋର୍ଟ ହେବା ସହ ଏହା ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛି ।
ଚିହ୍ନଟ 25 ଜଣଙ୍କ ମଧ୍ୟରୁ 17 ଜଣ ଆକ୍ରାନ୍ତ ଜଣେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ଅନ୍ୟ 5 ଜଣ ହୋମ କ୍ବାରେନଣ୍ଟାଇନ ଏବଂ ଜଣେ ପେଡ କ୍ବାରେନଣ୍ଟାଇନରେ ରହିଥିଲେ । ସୂଚନାନୁସାରେ, 5 ଦିନ ତଳେ ବ୍ରଜରାଜନଗର ଓପିଏମ କଲୋନୀର ଜଣେ ମହିଳା ନିକଟରେ ହରିୟାଣାରୁ ଫେରିଥିଲେ । ସେ କୋରୋନା ଚିହ୍ନଟ ହେବା ପରେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇଥିଲା । ଏହା ପରେ ରବିବାର ତାଙ୍କ ସଂସ୍ପର୍ଶରେ ଆସିଥିବା 17 ଜଣ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ ଏମାନେ ସମସ୍ତେ କଣ୍ଟେନମେଣ୍ଟ ଜୋନରେ ଥିଲେ ।
ସେହିପରି ମଣ୍ଡଳିଆ ଅଞ୍ଚଳରେ ଅନ୍ୟ 2 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଝାରସୁଗୁଡା ସରବାହଲରେ 2 ଜଣ, ଭିଜିଲାନ୍ସ ଅଫିସ ନିକଟରେ ଜଣେ, ଝାରସୁଗୁଡାର ଏକ ହୋଟେଲରେ କ୍ବାରେନଣ୍ଟାଇନରେ ଥିବା ଜଣେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଅନ୍ୟ 2ଜଣଙ୍କ ସମ୍ପର୍କରେ ସୂଚନା ମିଳିନାହିଁ । ତେବେ ଜିଲ୍ଲାରେ ଏତେ ସଂଖ୍ୟକ ଆକ୍ରାନ୍ତ ଏକାସହ ଚିହ୍ନଟ ହେବା ପରେ ବ୍ରଜରାଜନଗରରେ ସାଧାରଣ ଲୋକେ ତାତି ଉଠିଛନ୍ତି । ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ହୋମ କ୍ବାରେନଣ୍ଟାଇନ କରି ଏହି ଭୂତାଣୁର ଗୋଷ୍ଠୀ ସଂକ୍ରମଣ ବଢ଼ାଉଥିବା ଅଭିଯୋଗ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଶନିବାର ସନ୍ଧ୍ୟାରେ ବ୍ରଜରାଜନଗର ପୌର ପରିଷଦ କାର୍ଯ୍ୟାଳୟକୁ ଘେରାଉ କରିଥିଲେ ସ୍ଥାନୀୟବାସୀ ।
ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂକ୍ରମିତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜେନ ଘୋଷଣା କରାଯାଇଛି । ଏତେ ସଂଖ୍ୟକ ସଂକ୍ରମିତଙ୍କୁ ନେଇ କାହାକୁ ଭୟଭୀତ ନହେବାକୁ ଜିଲ୍ଲାପାଳ ଅନୁରୋଧ କରିବା ସହ ହୋମ କ୍ବାରେନଣ୍ଟାଇନରେ ରହୁଥିବା ଲୋକଙ୍କ ସହ ନ ମିଶିବାକୁ ଅନୁରୋଧ କରିଛନ୍ତି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ